ପୁଣିଥରେ ଓଲିଉଡରେ ଜାଦୁ ଦେଖାଇବା ପାଇଁ ଅଣ୍ଟା ଭିଡିଲେଣି ବାବୁସାନ୍ ମହାନ୍ତି ! “ଲୋକାଲ୍ ଟୋକା ଲଭ୍ ଚୋଖା”ରେ ଆସିବେ ନଜର ।

218

ପୁଣିଥରେ ନିଜ ରୋମାନ୍ସ ଓ କମେଡିର ତଡକା ଭେଟି ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ଅଭିନେତା ବାବୁଶାନ ମହାନ୍ତି । ଆଉ ଏଥର ବାବୁଶାନଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ଓଲିଉଡ୍ ସୁନ୍ଦରୀ ସନମୀରା । ଆଗାମୀ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’ରେ ଏହି ଯୋଡି ଦେଖାଇବେ ନିଜ କମାଲ । ନିକଟରେ ଏହି ସିନେମାର ଶୁଭ ମହୁରତ କଟକ ସ୍ଥିତ ପଂଚମୁଖି ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଫିଲ୍ମର ଲିଡ୍ ଷ୍ଟାରଙ୍କ ସମେତ ମେକରଙ୍କୁ ଦେଖିବାକୁ ମିଳିଥିଲା ।

ଓମ୍ ସାଇ ପ୍ରଡକ୍ସନରେ ମେକିଂ ହେବାକୁ ଥିବା ରୋମାଂଟିକ୍ ଫିଲ୍ମ ‘ଲୋକାଲ୍ ଟୋକା ଲଭ୍ ଚୋଖା’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଧାଂଶୁ ସାହୁ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇବେ ବୈଦନାଥ ଦାସ । ଲିରିସିଷ୍ଟ ଅରୁଣ ମନ୍ତ୍ରୀ ଓ ଡକ୍ଟର୍ ନିର୍ମଳ ନାୟକ ଫିଲ୍ମରେ ସ୍ଥାନ ପାଇବାକୁ ଥିବା ଗୀତର ଦେଇଛନ୍ତି ଲିରିକ୍ସ ।

ଖୁବଶୀଘ୍ର ଏହି ସିନେମାର ସୁଟିଂ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମେକର୍ । ଆସନ୍ତା ଗଣେଷ ପୂଜାରେ ଫିଲ୍ମର ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି । କହିରଖୁଛୁ ଯେ ବାବୁଶାନ ଖୁବ ଶୀଘ୍ର ଫିଲ୍ମ ‘ସୁନ୍ଦରଗଡର ସଲମାନ’ରେ ନଜର ଆସିବେ । ଫିଲ୍ମ ରଜବଜାରରେ ପରଦାକୁ ଆସିବ ।