ବିବାଦ ପରେ ସାମ୍ନାକୁ ଆସିଲେ ବାବୁସାନ, କନକ ନ୍ୟୁଜରେ କହିଲେ ପରିବାର କଥା।

292

କନକ ବ୍ୟୁରୋ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ ଦମନ। ଏଥିରେ ଓଲିଉଡ ହିରୋ ବାବୁସାନଙ୍କ ଅଭିନୟ ନେଇ ଚର୍ଚ୍ଚା ଜୋର ଧରିଛି । କନକ ନ୍ୟୁଜର କାର୍ଯ୍ୟକ୍ରମ ମନୋରଞ୍ଜନ ମିଶ୍ର ଲାଇଭରେ ଏ ନେଇ ନିଜର ମତ ରଖିଛନ୍ତି ବାବୁସାନ । ଫିଲ୍ମର ପ୍ରଚାର ଭିତରେ ପାରିବାରିକ ବିବାଦ ନେଇ ବି ମୁହଁ ଖୋଲିଛନ୍ତି ବାବୁସାନ ମହାନ୍ତି । କହିଛନ୍ତି, ଯାହା ବି ଘଟିଲା ସେଥିପାଇଁ କାହାକୁ ଦାୟୀ କରିବେନି । ତାଙ୍କର ସବୁଠାରୁ ବଡ ଶକ୍ତି ହେଉଛନ୍ତି ତାଙ୍କ ମା ଓ ସ୍ତ୍ରୀ । ବେଳେ ବେଳେ ପରିବାରରେ ଭୁଲ ବୁଝାମଣା ହୋଇଥାଏ । ତାଙ୍କ ପରିବାରରେ ହୋଇଥିଲା । ଏବେ କିନ୍ତୁ ସବୁ ଠିକଠାକ ଅଛି ବୋଲି କହିଛନ୍ତି ଓଲିଉଡ ଅଭିନେତା । ଜୀବନର ସମସ୍ୟାକୁ ହାଲୁକା ଭାବେ ଦେଖିବାକୁ ପଡେ ବୋଲି କହିଛନ୍ତି ବାବୁଶାନ । ରିଲ ଓ ରିୟଲ ଲାଇଫ ଭିତରେ ଅନେକ ପାର୍ଥକ୍ୟ ରହିଛି । ଯାହା ବି ଘଟିଲା ଭୁଲ ବୁଝାମଣା ଥିଲା । ଏଥିରୁ ବହୁତ କିଛି ଶିଖିବାକୁ ମିଳିଛି ।

ଜଣେ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ନେଇ ବିବାଦୀୟ ହୋଇପଡିଥିଲେ ଓଲିଉଡର ଚକଲେଟ ବୟ । ଗଣମାଧ୍ୟମର ଶିରୋନାମା ପାଲଟିଥିବା ସେହି ଘଟଣା ଏବେ ଅତୀତ ହୋଇସାରିଛି । ସ୍ତ୍ରୀଙ୍କ ସହ ସମ୍ପର୍କ ଠିକଠାକ ଅଛି ଓ ସ୍ତ୍ରୀଙ୍କ ମନରେ ତାଙ୍କୁ ନେଇ କୌଣସି ସନ୍ଦେହ ନାହିଁ । ସ୍ତ୍ରୀ ତାଙ୍କୁ ସବୁବେଳେ ବୁଝାଇବାକୁ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି ବାବୁଶାନ । ଜୀବନରେ ସବୁଠାରୁ ମୂଲ୍ୟବାନ ହେଉଛି ପରିବାର । ତେବେ ସେ ହଜିଯାଇଥିଲେ ଓ ପରିବାର ତାଙ୍କୁ ଫେରାଇ ଆଣିଲା ବୋଲି କନକ ନ୍ୟୁଜକୁ କହିଛନ୍ତି ବାବୁସାନ ।

ଆଗକୁ ରିଲିଜ ହେବାକୁ ଯାଉଛି ବାବୁସାନଙ୍କ ଫିଲ୍ମ ଦମନ । ଏଇ ଫିଲ୍ମର ପ୍ରମୋସନ ନିଆରା ଢଙ୍ଗରେ ଚଳାଇଛନ୍ତି ଫିଲ୍ମ ନିର୍ମାତା । ଏହି କ୍ରମରେ କନକ ନ୍ୟୁଜକୁ ପ୍ରଥମ କରି ଆସିଥିବାବେଳେ ବିବାଦକୁ ନେଇ ଅନେକ ଅକୁହା କଥା କହିଛନ୍ତି ସୁପରଷ୍ଟାର ବାବୁସାନ ମହାନ୍ତି ।