କନକ ବ୍ୟୁରୋ: ଖୋଜା ପଡିଲେଣି ସିନେମା ତାରକା । ୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭିଡ ଜମାଇବା ପାଇଁ ଦଳ ଖୋଜିଲେଣି ସିନେମା ଷ୍ଟାର । ଆଜି ହଠାତ୍ ଡକରା ପାଇଁ ନବୀନ ନିବାସରେ ପହଂଚିଥିଲେ ଓଲିଉଡର ଅଭିନେତା, ଅଭିନେତ୍ରୀ । ବାବୁସାନ ଓ ଅମ୍ଲାନ୍ଙ୍କୁ ଟିଭି ପରଦାରେ ଦେଖି ନିର୍ବାଚନର ଷ୍ଟାର ୱାର କଥା ଭାବି ନେଇଥିଲେ ଦର୍ଶକ । ଏମାନଙ୍କୁ ପ୍ରଚାର କାମରେ ବିଜେଡି ଲଗାଇବା ଏ କଥା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି । ସେପଟେ ବିଜେପି କହିଛି, ସବୁ ସୁପର ଷ୍ଟାର ଆମ ପାଖରେ ।

ବାବୁସାନ୍ ମହାନ୍ତ , ସ୍ୱରାଜ ବାରିକ, ଅମ୍ଳାନ ଦାସ, ଅଭିନେତ୍ରୀ ଲିପ୍ସା, ଭୂମିକା, ସୁପ୍ରିୟା । ଓଲିଉଡର ଲୋକପ୍ରିୟ ସିନେଷ୍ଟାର । ରାଜ୍ୟରେ ଯେତେବେଳେ ନିର୍ବାଚନ ଉଷ୍ଣତା ବଢ଼ିବାରେ ଲାଗିଛି, ପ୍ରାର୍ଥୀ ଘୋଷଣା ଚାଲିଛି, ନେତା ଟିକେଟ ପାଇଁ ଶେଷ ଲବି ଚଳାଇଛନ୍ତି, ସେତିକିବେଳେ ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ନବୀନ ନିବାସରୁ ଡାକରା ପାଇ ସିନେଷ୍ଟାର ମାନେ ଯାଇଥିଲେ । ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭି. କେ.ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

କମେଡିଆନ ଏବଂ ୟୁଟ୍ୟୁବର ମାନେ ମଧ୍ୟ ନବୀନ ନିବାସରୁ ଡକରା ପାଇ ପହଁଚିଥିଲେ । ସେମାନଙ୍କ ମଧ୍ୟରେ କମେଡିଆନ ସନ୍ତୁ, ଶଙ୍କର, ପ୍ରଜ୍ଞା, ଚାନ୍ଦିନୀ ମଧ୍ୟ ରହିଥିଲେ । ନବୀନ ନିବାସ ଯାଇ ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ । ଆଉ ବାହାରିବା ପରେ କହିଥିଲେ, ସେମାନେ ବିଜେଡି ପାଇଁ ପ୍ରଚାର କରିବେ ।

ପୂର୍ବରୁ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି, ଅରିନ୍ଦମ୍ ରୟ, ଆକାଶ ଦାସନାୟକ ଓ ସିଦ୍ଧାନ୍ତ ମହାପାତ୍ର ବିଜେଡିର ଷ୍ଟାର ପ୍ରଚାରକ ସାଜିଥିଲେ । ସାଧାରଣ ନିର୍ବାଚନଠାରୁ, ଉପନିର୍ବାଚନରେ ଏମାନେ ଦଳ ପାଇଁ ପ୍ରଚାର କରିଥିଲେ । ହେଲେ, କିଛି ଦିନ ପୂର୍ବରୁ ଚାରି ଜଣ ଯାକ ସୁପରଷ୍ଟାର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ସେମାନଙ୍କ ସ୍ଥାନରେ ବିଜେଡି ନୂଆ ସିନେଷ୍ଟାରଙ୍କୁ ଆଣି ନିର୍ବାଚନରେ ଷ୍ଟାର ପ୍ରଚାରକ କରିବାକୁ ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ତେବେ ବିଜେଡିର ଏହି ପଦକ୍ଷେପକୁ କଟାକ୍ଷ କରିଛି ବିଜେପି ।

ନିର୍ବାଚନ ଆସିଲେ ରାଜନୈତିକ ଦଳରେ କଳାକାରଙ୍କ କ୍ରେଜ୍ ବଢ଼ିଯାଏ । ରାଜନୈତିକ ଦଳର ନେତୃତ୍ୱ ବିଭିନ୍ନ ବର୍ଗର କଳାକାରଙ୍କୁ ଆଣି ଦଳର ସାମିଲ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଷ୍ଟାର ପ୍ରଚାରକ ସଜାଇ ମଇଦାନକୁ ଓହ୍ଲାଇଥାନ୍ତି ଦଳ ।