ବ୍ୟାଙ୍କ ଚାକିରିରୁ ବେଙ୍ଗଲର ବଡ ନେତା: ଏମିତି ଥିଲା ସୁପ୍ରିୟୋଙ୍କ ସଫର…

215

କନକ ବ୍ୟୁରୋ: ଜୁଲାଇ ମାସରେ ବିଜେପି ଛାଡିଥିବା ବାବୁଲ ସୁପ୍ରିୟୋ ଏବେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି । ବାବୁଲ ଆଜି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ବିଜେପି ଛାଡିବା ପରେ ସନ୍ୟାସ ନେବା କଥା କହୁଥିବା ବାବୁଲ ଏବେ ପୁଣି ରାଜନୀତିକୁ ଫେରି ଆସି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋଙ୍କ ସଫର ବିଷୟରେ ।

ବାବୁଲ ସୁପ୍ରିୟୋ ସବୁ କ୍ଷେତ୍ରରେ ନିଜକୁ ସାମିଲ କରିସାରିଛନ୍ତି । କେବଳ ରାଜନୀତି ନୁହେଁ ବ୍ୟାଙ୍କର ଓ ସିଙ୍ଗର ଭାବେ ମଧ୍ୟ କାମ କରିଛନ୍ତି । ହେଲେ ସିଙ୍ଗର ଭାବେ ସେ ନିଜକୁ ବେଶ ପରିଚିତ କରାଇପାରିଥିଲେ ।

ବାବୁଲ ସୁପ୍ରିୟୋ ନିଜ କ୍ୟାରିୟରର ଆରମ୍ଭ ଏକ ମଲ୍ଟିନ୍ୟାସନାଲ କମ୍ପାନୀରୁ ଆରମ୍ଭ କରିଥିଲେ । ସେଠାରେ ସେ ବ୍ୟାଙ୍କର ଭାବେ କାମ କରୁଥିଲେ । ଭଲ ଦରମା ମିଳୁଥିଲା ଆଉ କାମ ବି ଠିକଠାକ ଚାଲିଥିଲା । ହେଲେ ଏହି ଚାକିରିରେ ତାଙ୍କ ମନ ଲାଗିନଥିଲା । ପରେ ନିଜ ଜୀବନର ଏକ ବଡ ନିଷ୍ପତ୍ତି ନେଇଥିଲେ ଆଉ ଏହି ଚାକିରି ଛାଡି ଦେଇଥିଲେ । ଚାକିରି ଛାଡିବା ପରେ ବାବୁଲ ସଙ୍ଗୀତ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ଆଉ ଏହାପରେ ଏହି ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବଲିଉଡ ସହ ବଙ୍ଗଳା ଓ ଓଡିଆରେ ଅନେକ ହିଟ ଗୀତ ଗାଇଥିଲେ ।

୨୦୧୪ରେ ଯେତେବେଳେ ମୋଦୀ ସରକାର ଗଠନ ହୋଇଥିଲା । ସେତେବେଳେ ବାବୁଲ ପୁଣି ଏକ ବଡ ନିଷ୍ପତ୍ତି ନେଇଥଲେ । ବାବୁଲ ବିଜେପିରେ ସାମିଲ ହେବା ସହ ପଶ୍ଚିମବଙ୍ଗର ଆସନସୋଲ ଆସନରୁ ନିର୍ବାଚନ ଲଢିଥିଲେ । ସେତେବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦବଦବା ରହିଥିଲା । ହେଲେ ଅନେକ ପରିଶ୍ରମ କରି ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବାରେ ସଫଳ ହୋଇଥିଲେ ବାବୁଲ ସୁପ୍ରିୟୋ ।

ଏହି ସିଟରୁ ୭୦ ହଜାର ଭୋଟରେ ଜିତିବା ପରେ ବାବୁଲ ସୁପ୍ରିୟୋଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ୨୦୧୪ରେ ମୋଦୀ ସରକାରରେ ସୁପ୍ରିୟୋ ସହରୀ ବିକାଶ ଓ ଆବାସ ମନ୍ତ୍ରାଳୟର ରାଜ୍ୟମନ୍ତ୍ରୀ ରହିଥିଲେ । ଏହାପରେ ୨୦୧୬ରେ ପୁଣି କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା । ହେଲେ ୨୦୨୧ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ଆସନସୋଲରୁ ବାବୁଲ ସୁପ୍ରିୟୋ ହାରିଯାଇଥିଲେ ।
ଏହାପରେ ମୋଦୀ ସରକାର ନିଜ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ଏହାର କିଛି ଦିନ ପରେ ବିଜେପିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ବାବୁଲ ସୁପ୍ରିୟୋ । ହେଲେ ଏବେ ପୁଣି ଟିଏମସିରେ ସିନାଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।