ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ । ମୋଦୀ ଓ ଶାହାଙ୍କୁ ନେଇ କହିଲେ ଏଭଳି କଥା… ।

264

କନକ ବ୍ୟୁରୋ : ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି ବିଧିବଦ୍ଧ ଭାବେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ସହ ଥିବା ସମସ୍ତ ସମ୍ପର୍କ ତୁଟାଇଛନ୍ତି ବାବୁଲ । ତେବେ ସାଂସଦ ପଦ ଛାଡିବା ପରେ ତାଙ୍କ ପ୍ରତି ବିଶ୍ୱାସ ଓ ଭରସା କରିଥିବାରୁ ବିଜେପିକୁ ଧନ୍ୟବାଦ ଜଣାଇଛନ୍ତି ବାବୁଲ ।

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେବା ସହ ବାବୁଲ କହିଛନ୍ତି, ଯେଉଁ ଦଳ ପାଇଁ ମୁଁ ୭ ବର୍ଷ ପରିଶ୍ରମ କରିଥିଲି ସେହି ଦଳ ଛାଡିବା ବେଳେ ବହୁତ ବ୍ୟଥିତ ଥିଲି । କାରଣ ମୁଁ ମୋର ରାଜନୈତିକ କ୍ୟାରିୟର ବିଜେପିରୁ ହିଁ ଆରମ୍ଭ କରିଥିଲି । ପ୍ରଧାନମନ୍ତ୍ରୀ ମୋଦୀ, ଦଳର ସଭାପତି ଓ ଅମିତ ଶାହାଙ୍କୁ ଧନ୍ୟବାଦ କାରଣ ସେମାନେ ମୋ ଉପରେ ବିଶ୍ୱାସ କରିଥିଲେ । ଯେହେତୁ ବିଜେପିରୁ ଇସ୍ତଫା ଦେଇଥିଲି ତେଣୁ ସେହି ଦଳରୁ ସାଂସଦ ରହିବା ଠିକ୍ ନୁହେଁ ବୋଲି କହିଛନ୍ତି ବାବୁଲ ।

ଟିଏମସିରେ ସାମିଲ ହେବାର ୨୦ ଦିନ ପରେ ଓମ ବିର୍ଲାଙ୍କୁ ଭେଟିବାକୁ ଚିଠି ଲେଖି ସମୟ ମାଗିଥିଲେ । କାରଣ ଟିଏମସିରେ ସାମିଲ ହେବା ପରେ ବିଜେପିରୁ ସାଂସଦ ରହିବା ଠିକ୍ ନୁହେଁ ଭାବି ସାଂସଦ ପଦରୁ ଇସ୍ତଫା ଦେବାକୁ ଚାହିଁଥିଲେ ବାବୁଲ । ୨୦୧୪ରେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ ବାବୁଲ । ଆସନସୋଲରୁ ୨ ଥର ସାଂସଦ ହୋଇଥିବା ବାବୁଲ ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ମଧ୍ୟ ରହିଥିଲେ । ଦ୍ୱିତୀୟ ପାଳିରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବେଳେ ବାବୁଲଙ୍କୁ ପୁଣିଥରେ ସୁଯୋଗ ମିଳିନଥିଲା । ଆଉ ଏହାର କିଛି ସମୟ ପରେ ଫେସବୁକ ପୋଷ୍ଟ ଜରିଆରେ ରାଜନୀତି ଛାଡୁଥିବା ନେଇ ପୋଷ୍ଟ ସେୟାର କରିଥିଲେ ।

ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବାର ଦିନ କେଇଟା ପରେ ଅଥାର୍ତ ଗତ ସେପ୍ଟେମ୍ବର ୧୮ ତାରିଖରେ ବିଧିବଦ୍ଧ ଭାବେ ଟିଏମସିରେ ସାମିଲ ହୋଇଥିଲେ ବାବୁଲ । ଦଳରେ ସାମିଲ କରିଥିବାରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ ବାବୁଲ । ତେବେ ସାଂସଦ ନ ରହିଲେ ମଧ୍ୟ ସଂସଦୀୟ କ୍ଷେତ୍ର ପାଇଁ କାମ କରିବି ବୋଲି କହିଛନ୍ତି ବାବୁଲ ।