ବିଜେପିକୁ ବାଏ ବାଏ କରିଥିଲେ, ଟିଏମସିରେ ଯୋଗ ଦେଲେ । ଦିଦିଙ୍କ ଦଳରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । 

256

କନକ ବ୍ୟୁରୋ : ଟିଏମସିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ପୂର୍ବରୁ ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ଆଜି ଟିଏମସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ମମତାଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ବାବୁଲ । ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ହଟିବା ପରେ ବାବୁଲ ବିଜେପି ଛାଡି ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ । କିନ୍ତୁ ଆଜି ଅପ୍ରତ୍ୟାଶିତ ଭାବେ ଟିଏମସିରେ ଯୋଗ ଦେଇଛନ୍ତି ବାବୁଲ ।

ଆସନ୍ତା ୩୦ରେ ପଶ୍ଚିମବଙ୍ଗରେ ୩ଟି ଆସନରେ ଉପ-ନିର୍ବାଚନ ହେବ । ତେବେ ଏହା ପୂର୍ବରୁ ବାବୁଲଙ୍କୁ ଦଳରେ ସାମିଲ କରି ବିଜେପିକୁ ବଡ ଝଟକା ଦେଇଛି ଟିଏମସି । ବାବୁଲଙ୍କ ଟିଏମସରେ ଯୋଗଦାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି କାରଣ, ଭବାନୀପୁରରେ ମମତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ପ୍ରିୟଙ୍କା ଟ୍ରିବେୱାଲଙ୍କ ବେଶ ଘନିଷ୍ଠ ହେଉଛନ୍ତି ବାବୁଲ । ଏପରିକି ପ୍ରିୟଙ୍କାକୁ  ରାଜନୀତିକୁ ଆଣିଥିଲେ ବାବୁଲ । ତେଣୁ ବାବୁଲଙ୍କ ଟିଏମସିରେ ଯୋଗଦାନ  ଉଭୟ ପ୍ରିୟଙ୍କା ଓ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ବାବୁଲଙ୍କୁ ମନ୍ତ୍ରୀପଦରୁ ହଟା ଯାଇଥିଲା । ସେତେବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ବାବୁଲଙ୍କୁ ଦାୟୀ କରାଯିବା ସହ ମନ୍ତ୍ରୀପଦରୁ ହଟାଗଲା ବୋଲି ଚର୍ଚ୍ଚା ହେଉଥିଲା । ଆଉ ମନ୍ତ୍ରୀପଦରୁ ହଟିବା ପରେ ବିଜେପି ଦଳ ଛାଡିବା ସହ ରାଜନୀତିରୁ ସନ୍ନ୍ୟାସ ନେଉଥିବା ଘୋଷଣା କରିଥିଲେ ବାବୁଲ ।