ବାନ୍ଧି ପାରିଲାନି ସନ୍ୟାସ ମୋହ, ମୋଦୀଙ୍କୁ ଛାଡି ଦିଦିଙ୍କ ହାତ ଧରିଲେ ବାବୁଲ ସୁପ୍ରିୟୋ

234

କନକ ବ୍ୟୁରୋ : ମଜବୁତ ହେଉଛି ଦିଦିଙ୍କ ଗଡ । ପଶ୍ଚିମବଙ୍ଗରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ବାବୁଲ ସୁପ୍ରିୟୋ ଟିଏମସିରେ ସାମିଲ ହୋଇଛନ୍ତି    । ସେ ଟିଏମସି ସାଂସଦ ତଥା ଦଳର ରାଷ୍ଟ୍ରୀୟ ସଭାପତି ଅଭିଷେକ ବାନାର୍ଜୀ ଓ ଡାରେକ ଓବ୍ରାନଙ୍କ ଉପସ୍ଥିତିରେ ଆଜି ଦଳରେ ସାମିଲ ହୋଇଛନ୍ତି ।

କହିରଖୁ କି କିଛିଦିନ ଆଗରୁ ଦଳରେ କୋଣଠେସା ହେଉଥିବା ଅଭିଯୋଗ ଆଣି ସେ ବିଜେପିରୁ ହଠାତ୍ ଇସ୍ତଫା ଦେଇଥିଲେ । ସେତେବେଳେ ସେ ଗଣମାଧ୍ୟମକୁ କହିଥିଲେ କି ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି । ଏହାପରେ କିଛିଦିନର ନିରବତା ଓ ଶେଷରେ ଦିଦିଙ୍କ ସହ ହାତ ମିଳାଇଛନ୍ତି ବାବୁଲ । ବାବୁଲ ନାଟକୀୟ ଢଙ୍ଗରେ ବିଜେପି ଛାଡିବା ଓ କିଛି ଦିନର ନିରବତା ପରେ ଟିଏମସିରେ ଯୋଗଦେବା ରାଜନୈତିକ ବିଶେଷଜ୍ଞଙ୍କୁ ପୁଣିଥରେ ଭାବିବାକୁ ବାଧ୍ୟ କରିଛି ।

ଅନ୍ୟପଟେ ସେ ଦଳରେ ଯୋଗଦେବା ପରେ ଭବାନୀପୁର ଉପନିର୍ବାଚନ ପାଇଁ ଟିଏମସି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମ ସାମିଲ କରାଯାଇଛି ।  ସୂଚନା ଥାଉକି, ଚଳିତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଯେଉଁ ବାବୁଲ ସୁପ୍ରିୟୋ ବିଜେପିରେ ଥାଇ ମମତାଙ୍କୁ ଦେଶଦ୍ରୋହୀ ଓ ଏକଛତ୍ରବାଦୀ ଶାସକ ବୋଲି ବିଭିନ୍ନ ସଭାରେ ଭାଷଣ ମାଧ୍ୟମରେ କହୁଥିଲେ ସମୟ ଏମିତ ଆସିଲା ଯେ ନିର୍ବାଚନର ମାତ୍ର କେଇଟାମାସ ମଧ୍ୟରେ ସେହି ମମତାଙ୍କ ଶରଣକୁ ଆସିଗଲେ ବାବୁଲ ।

ବାବୁଲ ସୁପ୍ରିୟୋ ଜଣେ ସଂଗୀତକାର ଭାବେ ବେଶ ଜଣାଶୁଣା ଥିବା ବେଳେ ସେ ୨୦୧୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ । ୨୦୧୪ ନିର୍ବାଚନରେ ବିଜେପି ତାଙ୍କୁ ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ସାଂସଦ ଭାବେ ନିର୍ବାଚନ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ମୋଦୀଙ୍କ କ୍ୟାବିନେଟରେ ତାଙ୍କୁ ଭାରି ଶିଳ୍ପ ଓ ସାଧାରଣ ଉଦ୍ୟେଗ ବିଭାଗର ମନ୍ତ୍ରୀପଦ ମଳିଥିଲା । କେବଳ ୨୦୧୪ ନୁହେଁ ୨୦୧୯ ରେ ବି ସେ ଆସାନସୋଲ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ମୋଦୀ କ୍ୟାବିନେଟରେ ବି ତାଙ୍କୁ ମନ୍ତ୍ରୀପଦ ମିଳିଥିଲା । ହେଲେ ଦଳ ଭିତରେ ତାଙ୍କୁ ବିଶେଷ ଗୁରୁତ୍ୱ ନମିଳୁଥିବା ଅଭିଯୋଗରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।