ବାବୁ ବନିବେ କଂଗ୍ରେସ ନେତା। ଦଳରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ।

324

କନକ ବ୍ୟୁରୋ: କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ । ଭୁବନେଶ୍ୱର ନୁହେଁ ଦିଲ୍ଲୀରେ ହେବ ମିଶ୍ରଣ ପର୍ବ । କିଛିଦିନ ତଳେ ବିଜୟ ପଟ୍ଟନାୟକଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହା ଏବେ ସତ ହେବାକୁ ଯାଉଛି । ଦିନେ ରାଜ୍ୟ ପ୍ରଶାସନିକ ସେବାର ମୁଖିଆ ଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତି ସରିଛି । ସୂଚନା ଅନୁସାରେ, ଦିଲ୍ଲୀରେ ଗୁରବାରଦିନ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାଜ୍ୟ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହେବେ । ଏଥିପାଇଁ ପିସିସି ସଭାପତିଙ୍କ ସହ ବିଜୟ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ।

ମୁଖ୍ୟ ଶାସନ ସଚିବ ଥିବାବେଳେ ବିଜୟ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖ ଲୋକ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ବିଜେଡିରେ ନମିଶି କଂଗ୍ରେସକୁ କାହିଁକି ଗଲେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ରାଜ୍ୟରେ ବୁଡିଯାଉଥିବା କଂଗ୍ରେସ ପାଇଁ ସେ କି ସଞ୍ଜିବନୀ ଦେବେ ତାକୁ ନେଇ ରାଜନୈତିକ ମହଲ ଅଙ୍କକଷା ଆରମ୍ଭ କରିଛନ୍ତି ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଥିବାବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ କୌଣସି କାରଣରୁ ତାହା ସ୍ଥଗିତ ରହିଥିଲା । ପରେ ବାରମ୍ବାର ବୈଠକ ବସି ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପାଇଁ ପଥ ପରିଷ୍କାର ହୋଇଛି । ରାଜ୍ୟର ପ୍ରଶାସନିକ ସେବାରେ ବିଜୟ ପଟ୍ଟନାୟକ ଜଣେ ଜଣାଶୁଣା ନାଁଁ ।

-୨୦୧୩ ମସିହାରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଥିଲେ
-ଅବସର ପରେ ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ହୋଇଥିଲେ
-ଏହାପରେ ମାନବାଧିକାର କମିଶନ ଭାବେ ନିଯୁକ୍ତି ପାଇଥିଲେ
-ଏହା ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିଲେ

ଏବେ କଂଗ୍ରେସରେ ଯୋଗଦେବା ପରେ ତାଙ୍କ ପାଇଁ କଂଗ୍ରେସର ରଣନୀତି କଣ ହେବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଗୋଷ୍ଠୀ କନ୍ଦଳ ଓ ଦୁର୍ବଳ ସଙ୍ଗଠନ ଯୋଗୁଁ ରାଜ୍ୟରେ କଂଗ୍ରେସ ସ୍ଥିତ ଖରାପ ଆଡକୁ ଯାଉଛି । ଏଭଳି ସ୍ଥଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ନିଜ ପାଇଁ କି ଭବିଷ୍ୟତ ଦେଖିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଶ୍ନ ଉଠୁଛି
-ରାଜ୍ୟରେ ବଡ ପଦବୀ ପାଇବେ କି ବିଜୟ ପଟ୍ଟନାୟକ?
-ଲୋକସଭା ନା ବିଧାନସଭା ନିର୍ବାଚନ ପାଇଁ ଲଢିବେ?
-କଂଗ୍ରେସ ହାଇକମାଣ୍ଡଙ୍କ ସହ କି ଡିଲ୍ ହୋଇଛି ?