କନକ ବ୍ୟୁରୋ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀ ଅଧା ବାଟରେ ଅଟକାଇବା, ସଭାମଞ୍ଚରୁ ଫାଇଭ-ଟି ସଚିବ ପ୍ରଶ୍ନ ଉଠାଇବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ବିଧାୟକଙ୍କୁ ବିଜେଡି କର୍ମୀ ବିରୋଧ କରିବା ଓ ଜଣେ ସଚିବ ଜନପ୍ରତିନିଧିଙ୍କୁ ସଭାରେ ଟାର୍ଗେଟ କରିବାକୁ ନେଇ କଥା କଟାକଟି ହୋଇଛନ୍ତି ବିରୋଧୀ ଓ ଶାସକ ଦଳ । ଗୋଟିଏ ପଟେ ଘଟଣାକୁ ବିରୋଧୀ କଂଗ୍ରେସ ଓ ବିଜେପି ନିନ୍ଦା କରିଥିବାବେଳେ, ଅନ୍ୟପଟେ ସଚିବଙ୍କ ସମର୍ଥନରେ ବାହାରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି, ଲକ୍ଷ୍ମଣ ରେଖା ଭିତରେ ରହି କାମ କରନ୍ତୁ ସଚିବ । ନଚେତ ଆଗାମୀ ଦିନରେ ସଚିବଙ୍କୁ ଅଣ୍ଡାମାଡ କରିବେ । ବିଜେପି କହିଛି, ଓଡି଼ଶାରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ବିଜେଡି ଗଣତନ୍ତ୍ରକୁ ଗୁରୁତ୍ୱ ଦେଉନାହିଁ । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ । କହିଛନ୍ତି, ସଚିବ ଯାହା କହିଛନ୍ତି ସତ କହିିିଛନ୍ତି । ବିଧାୟକଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଲା ।

Advertisment

ଫାଇଭ-ଟି ସଚିବ ସଭାମଞ୍ଚରୁ ଟାର୍ଗେଟ କରିବା ପରେ, ଆଜି ମୁଖ୍ୟମନ୍ତ୍ରୀଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏକାଧିକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ସହ ଫାଇଭ୍ ଟି ସଚିବଙ୍କୁ ଘେରିଛନ୍ତି ଗୋପାଳପୁର ବିଧାୟକ । କହିଛନ୍ତି, ସଚିବ ଯେଉଁ କଥା କହିଛନ୍ତି ତାହାର ଉତ୍ତର ରଖନ୍ତୁ ମୁଖ୍ୟମନ୍ତ୍ରୀ । କଣ ଠିକ୍ କଣ ଭୁଲ ।

ବିରୋଧୀଙ୍କ ବିରୋଧ ସତ୍ୱେ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ ।