କନକ ବ୍ୟୁରୋ : ଛାୟା ସରକାର ଷ୍ଟ୍ରାଟେଜିରେ ବିଜେଡି ଦଳୀୟ ବିଧାୟକଙ୍କୁ ବିଭାଗ ବଣ୍ଟନ କରିବାକୁ ନେଇ ସମାଲୋଚନା କରିଛି ବିଜେପି । ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ କଟାକ୍ଷ କରି କହିଛନ୍ତି, ଲୋକେ ତାଙ୍କୁ କ୍ଷମତାରୁ ବାହାର କରିସାରିଛନ୍ତି ତଥାପି ସେମାନେ ଭାବୁଛନ୍ତି ଆଜି ସରକାରରେ ଅଛନ୍ତି । ସରକାର ବିଭାଗ ବଣ୍ଟନ କରନ୍ତି ବିରୋଧୀ ଦଳ ନୁହେଁ, ଲୋକେ ଭୁଲ ଠିକ ନିର୍ଦ୍ଧାରଣ କରନ୍ତି । ବିରୋଧୀ ଦଳ ଯଦି କ୍ଷମତାରେ ରହିବା ପାଇଁ ଏତେ ବ୍ୟାକୁଳ ତେବେ ନିର୍ବାଚନ ପର୍ୟ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ବାବୁ ସିଂ ।

Advertisment

ଏକାମ୍ର ବିଧାୟକ କହିଛନ୍ତି, ଏବେ ବିରୋଧୀ ଦଳରେ ଥିବା ବିଜେଡିର ଯେହେତୁ ସରକାରରେ ରହିବାର ହ୍ୟାଙ୍ଗ ଓଭର ଯାଇନି ସେଥିପାଇଁ ଦଳ ପକ୍ଷରୁ ଏଭଳି ବିଭାଗ ବଣ୍ଟନର କରାଯାଇଛି । ଲାଗୁଛି ବିଜୁ ଜନତା ଦଳର ଛାୟା କେନ୍ଦ୍ର ସାଜିଥିବା ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଏ ସବୁ ହେଉଛି । ବିଜେଡିକୁ ଲୋକେ ସରକାରରୁ ବାହାର କରି ଦେଇଛନ୍ତି ସେଥିପାଇଁ ସେମାନେ ବିରୋଧୀ ଦଳର ଭୂମିକାକୁ ସଠିକ ଭାବେ ନିର୍ବାହ କରନ୍ତୁ ।  ସରକାରର ହ୍ୟାଙ୍ଗ ଓଭରରୁ ଦୁରେଇ ରୁହନ୍ତୁ । ଜନସାଧାରଣ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ସରକାର ପୂରା କରିବେ ।

ଏହାସହ ବାବୁ ସିଂ କହିଛନ୍ତି, ନୂଆ ସରକାର ଆସିବା ଦିନଠାରୁ ଯେଉଁ ସବୁ ନିଷ୍ପତ୍ତି ନିଆଯାଉଛି ତାହା ପୂର୍ବ ସରକାରରେ ଥିବା ନେତାଙ୍କୁ କଷ୍ଟ ହେଉଛି । ନିଜର ପୋଲ ଖୋଲିବା ଭୟରେ ଏଭଳି କରୁଛି ବିଜେଡି । ଏସବୁକୁ ଛାଡି ଜନମତକୁ ବିଜେଡି ସମ୍ମାନ ଦେବା ଶିଖୁ ବୋଲି କହିଛନ୍ତି ଏକାମ୍ର ବିଧାୟକ ।