ଆସନ୍ତାକାଲି ଆସିବ ବାବ୍ରୀ ଧ୍ୱଂଶ କରିବା ମାମଲାର ରାୟ । ରାୟ ଶୁଣାଇବେ ସିବିଆଇର ସ୍ୱତନ୍ତ୍ର କୋର୍ଟ, ବିଜେପିର ୫ ବରିଷ୍ଠ ନେତାଙ୍କୁ ହୋଇପାରେ ୫ ବର୍ଷ କାରାଦଣ୍ଡ ।

706

କନକ ବ୍ୟୁରୋ : ୬ ଡିସେମ୍ବର ୧୯୯୨ରେ ଅଯୋଦ୍ଧାରେ ବାବ୍ରୀ ମସଜିଦ ଭାଙ୍ଗିବା ଘଟଣାକୁ ନେଇ ଚାଲିଥିବା ମାମଲାରେ ଆସନ୍ତାକାଲି ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ରାୟ ଦେବ । ଏହି ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶି, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ, ପୂର୍ବକେନ୍ଦ୍ର ମନ୍ତ୍ରୀ ଉମା ଭାରତୀ, ବିନୟ କଟିଆରଙ୍କ ସହିତ ୩୨ ଅଭିଯୁକ୍ତ ରହିଛନ୍ତି । ଅଯୋଧ୍ୟାରେ ବିବାଦୀୟ ମସଜିଦକୁ ଷଡଯନ୍ତ୍ର କରି ଭଙ୍ଗାଯାଇଥିଲା ନା ଏହାକୁ କରସେବକ ମାନେ କ୍ରୋଧରେ ଭାଙ୍ଗିଦେଇଥିଲେ ତାହା ଆଦାଲତ ନିଷ୍ପତ୍ତି କରିବ । ହେଲେ ଆଇନ ଯାହା କହୁଛି ଯଦି ଷଡଯନ୍ତ୍ର କରି ଏହାକୁ ଭଙ୍ଗାଯାଇଥାଏ ତେବେ ଅଭିଯୁକ୍ତ ମାନଙ୍କୁ ୨ ରୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ।

ସୂଚନା ଥାଉକି ଏହି ମାମଲାରେ ୪୯ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା । ହେଲେ ତାହା ମଧ୍ୟରୁ ୧୭ ଜଣଙ୍କର ଦେହାନ୍ତ ହୋଇସାରିଲାଣି । ଅନ୍ୟପଟେ ଏହି ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ଲାଲକୃଷ୍ଣ ଆଡଭାନୀ, ମୁରଲିମନୋହର ଜୋଶୀ, ବିନୟ କଟିଆର, ସ୍ୱାଧୀ ରିଷ୍ଟମ୍ଭରା ଓ ବିଷ୍ଣୁହରି ଡାଲମିଆଙ୍କୁ ଧରା ୧୨୦ (ବି) ତଥା ଅପରାଧୀକ ଷଡଯନ୍ତ୍ର ଭଳି ଦୋଷ ଲଗାଇଛି । ଏହାସହ ଆଇପିସି ଧାରା ୧୨୦ (ବି), ୧୪୭,୧୫୩ (ବି) ଓ ୫୦୫ (କ) ଧାରାରେ ମୋକଦ୍ଦମା ଚଳାଇଛି ।
ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ନୃତ୍ୟ ଗୋପାଳ ଦାସ, ମହନ୍ତ ରାମବିଳାଶ ବେଦନ୍ତ, ବୈକୁଣ୍ଠଲାଲ୍ ଶର୍ମା, ଚମ୍ପତ ରାୟ ବଂଶଲ, ଧର୍ମ ଦାଶ, ସତୀଶ ପ୍ରଧାନଙ୍କ ଉପରେ ବି ଆଇପିସି ଧାରା ୧୪୭,୧୪.୧୫୩ (ଏ), ୧୫୩ (ବି),୨୯୫,୨୯୫ (ଏ) ଓ ୫୦୫ (କ) ସହିତ ୧୨୦ (ବି) ଧାରା ଲଗାଯାଇଛି ।

ଏହି ମାମଲାର ଶୁଣାଣି ସିବିଆଇର ସ୍ୱତନ୍ତ୍ର ଅଦାଲତ ୧ ସେପ୍ଟେମ୍ବର ୨୦୨୦ରେ ଆରମ୍ଭ କରିଥିଲେ । ଯାଞ୍ଚର ପୂର୍ଣ୍ଣାଙ୍ଗ ରାୟ ଆସନ୍ତାକାଲି (ସେପ୍ଟେମ୍ବର ୩୦ )ରେ ଆସିବ । ଏହି ମାମଲାର ରାୟ କ’ଣ ଆସିବ ତାହା ଉପରେ ସମସ୍ତଙ୍କର ନଜର । ହେଲେ ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟର ଓକିଲ ସୟଦ ଇମରାନ ଅଲ୍ଲୀ କହିଛନ୍ତି କି ବାବ୍ରୀ ମସଜିଦ ଭାଙ୍ଗିବା ମାମଲାରେ ସବୁଠାରୁ ବଡ ଧାରା ୧୨୦(ବି) ଲଗାଯାଇଛି । ଯାହାକି ହିଂସାକୁ ଉସକାଇବା ବା ହିଂସା ପାଇଁ ଷଡଯନ୍ତ୍ର କରାଯିବା କ୍ଷେତ୍ରରେ ଲଗାଯାଏ ।

ସେ ଆହୁରି କହିଛନ୍ତି କି ଏହି ଧାରା ଲଗାଯିବାର ଅର୍ଥ କୋର୍ଟ ସ୍ପଷ୍ଟ ହୋଇଛି ଯେ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ଯାହା ଘଟିଲା ସେଥିପାଇଁ ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା । ଯେଉଁମାନଙ୍କ ନାମରେ ୧୨୦(ବି)ରେ ମାମଲା ରହିଛି ସେମାନଙ୍କୁ ସର୍ବାଧିକ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିପାରିବ କୋର୍ଟ । ଅନ୍ୟପଟେ ବାକି ଅଭିଯୁକ୍ତ ମାନଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିପାରିବେ କୋର୍ଟ । ଯଦି ସିବିଆଇ ଅଦାଲତ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରେ ତେବେ ନିମ୍ନ ଅଦାଲତ ଜାମିନ ଦେଇ ପାରିବ । ଯଦି କାହାକୁ ୫ ବର୍ଷ ଦଣ୍ଡିତ କରାଯାଏ ତେବେ ତାଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାକୁ ପଡିବ ।

ସେପଟେ ଆଡଭାନୀ, ଜୋଶୀ, ଉମାଭାରତୀ ଓ ବିନୟ କଟିଆରଙ୍କ ଓକିଲ ବିମଲ ଶ୍ରୀବାସ୍ତବ କହିଛନ୍ତି କି ପ୍ରତିରକ୍ଷା ପାଇଁ ଆମେ ସମ୍ପୁର୍ଣ୍ଣ ଦଲିଲ କୋର୍ଟରେ ଜମା କରିଛୁ । ସେ ଆହୁରି କହିଛନ୍ତି କି ଷଡଯନ୍ତ୍ର ଓ ହିଂସା ଉଦ୍ରେକକାରୀ ଭାଷଣ କଥା ସମ୍ପୁର୍ଣ୍ଣ ମିଥ୍ୟା ।