ଆଜି ଆସିବ ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ । ସିବିଆଇର ସ୍ୱତନ୍ତ୍ର ଅଦାଲତ ଦେବେ ରାୟ, ଆଡଭାନୀ, ଯୋଶୀ, ଉମାଙ୍କ ସମେତ ୩୨ ଜଣଙ୍କ ବିରୋଧରେ ରହିଛି ମାମଲା । 

110

କନକ ବ୍ୟୁରୋ : ଆଜି ଆସିବ ବାବ୍ରି ମାମଲାର ରାୟ । ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ହେବ । ବାବ୍ରି ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି । ଅନ୍ୟ ୩୨ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ ଏବଂ ଉମାଭାରତୀ ପ୍ରମୁଖ । ୬ ଡିସେମ୍ୱର ୧୯୯୨ ମସିହାରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତରପ୍ରଦେଶରେ ଦେଖାଦେଇଥିଲା ସାଂପ୍ରଦାୟିକ ଦଙ୍ଗା ।

ଆଜି ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ରାୟ ଶୁଣାଇବେ । ତେବେ ଏହି ରାୟ ପ୍ରକାଶ ବେଳେ କୋର୍ଟରେ ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ ଏବଂ ଉମାଭାରତୀ ଉପସ୍ଥିତ ରହିବେ ନାହିଁ ବୋଲି ଜଣାଇଛନ୍ତି । ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।