କନକ ବ୍ୟୁରୋ : ବିଜୟ ସହ ଭାରତ ଏସିଆ କପ ଅଭିଯାନ ଆରମ୍ଭ କରିଥିବା ପାକିସ୍ତାନକୁ ଲାଗିଛି ପରାଜୟର ଝଟକା । ପାକିସ୍ତାନ ବିପକ୍ଷରେ ୫ ୱିକେଟରେ ବିଜୟ ସହ ଭାରତ ଏସିଆ କପ ପଏଣ୍ଟ ଟେବୁଲରେ ଖାତା ଖୋଲିଛି । ତେବେ ଦୁବାଇରେ ହୋଇଥିବା ଭାରତ-ପାକିସ୍ତାନର ମ୍ୟାଚ ବେଶ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତକୁ କେବଳ ବିଜୟ ଭେଟି ଦେଇନଥିଲେ ବରଂ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିଣିଥିଲେ । ତେବେ ଏହି ହାଇଭୋଲଟେଜ ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଥିଲା । ତେବେ ପାକିସ୍ତାନର ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପାକର ପୂର୍ବତନ କ୍ରିକେଟର ସୋଏବ ଅଖତର ।

Advertisment

ଅଖତର କହିଛନ୍ତି ଟି-୨୦ ମୁକାବିଲାରେ ପାକିସ୍ତାନ ବ୍ୟାଟର ଖୁବ୍ ଧୀମା ବ୍ୟାଟିଂ କରିଥିଲେ । ନିଜ ୟୁ-ଟ୍ୟୁବ ଚ୍ୟାନେଲରେ ଅଖତର କହିଛନ୍ତି, ବାବର ଆଜମଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିବାର ଥିଲା । ୩ ନମ୍ବରରେ ବ୍ୟାଟିଂ କରି ଇନିଂସକୁ ଆଗକୁ ନେବାର ଦାୟିତ୍ୱ ବାବରଙ୍କ ଉପରେ ଥିଲା । ବାବର ନିଜେ ଓପନିଂ କରିବା ଏକ ଭୁଲ ନିଷ୍ପତ୍ତି  । ପ୍ରଥମ ୬ ଓଭରରେ ୧୯ଟି ଡଟ୍ ବଲ ଖେଳିବା ପାକିସ୍ତାନକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ।

କେବଳ ଏତିକି ନୁହେଁ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅଖତର । ଉଭୟ ଦଳର ଅଧିନାୟକ ଟିମ୍ ଚୟନ କରିବାରେ କିଛି ନା କିଛି ଭୁଲ କରିଛନ୍ତି । ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦେବା ଭାରତର ଅଧିନାୟକ ରୋହିତ ଶର୍ମାଙ୍କର ଭୁଲ ନିଷ୍ପତ୍ତି । ସେହିଭଳି ଇଫତିଖାର ଅହମ୍ମଦଙ୍କୁ ୪ର୍ଥ ନମ୍ବରରେ ବ୍ୟାଟିଂ ଦେବା ବି ଗୋଟିଏ ଭୁଲ ନିଷ୍ପତ୍ତି । ଏହାଦ୍ୱାରା ଇଫତିଖାରଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଉନି କିନ୍ତୁ ଏହା ସତ ଏଭଳି ନିଷ୍ପତ୍ତି ଭୁଲ ଥିଲା ।

ଭାରତ ବିପକ୍ଷରେ ବାବର ଆଜମ ମାତ୍ର ୧୦ ରନ କରି ଆଉଟ ହୋଇଥିବା ବେଳେ ରିଜୱାନ ୪୨ ବଲରୁ ମାତ୍ର ୪୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । କ୍ରିଜରେ ସେଟ ହୋଇ ଆସୁଥିବା ବେଳେ ରିଜୱାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।