କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜିତ ହୋଇ ସେମିଫାଇନାଲ ରେସରୁ ଏକପ୍ରକାର ବାଦ୍ ପଡି ସାରିଛି ପାକିସ୍ତାନ । ଚେନ୍ନାଇରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ମାତ୍ର ୧ ୱିକେଟରେ ବାଜିମାତ କରିଥିଲା ଦକ୍ଷିଣ ଆଫ୍ରିକା ଦଳ । ତେବେ ଏହି ମ୍ୟାଚ ଯେଉଁଭଳି ରୋମାଞ୍ଚକର ଥିଲା ଠିକ୍ ସେହିଭଳି ବିବାଦୀୟ ମଧ୍ୟ ଥିଲା । ମ୍ୟାଚରେ ଡିଆରଏସକୁ ନେଇ ବିବାଦ ଦେଖିବାକୁ ମିଳିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମ୍ୟାଚର ୪୬ ତମ ଓଭରରେ ହାରିସ ରଉଫଙ୍କ ବଲ୍ ତବରେଜ ସାମସିଙ୍କ ପ୍ୟାଡରେ ବାଜିଥିଲା । ପାକିସ୍ତାନ ପକ୍ଷରୁ ଅପିଲ କରାଯାଇଥିଲେ ମଧ୍ୟ ଏହାକୁ ଆଉଟ୍ ଦେଇନଥିଲେ ଅମ୍ପାୟାର । ତେବେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ନେଇଥିଲା ପାକିସ୍ତାନ । ପରେ ବଲ ଟ୍ରାକିଙ୍ଗରେ ଜଣାପଡିଥିଲା ଯେ, ବଲଟି ଲେଗ ଷ୍ଟମ୍ପରେ ବାଜୁଥିଲା । କିନ୍ତୁ ଅମ୍ପାୟାରଙ୍କ କଲ ନଟ ଆଉଟ ହୋଇଥିବାରୁ ସାମସିଙ୍କୁ ଜୀବନଦାନ ମିଳିଥିଲା । ମ୍ୟାଚ ପରେ ଡିଆରଏସକୁ ନେଇ ପଚରାଯିବାରୁ ବାବର କହିଥିଲେ, ଏହା ଖେଳର ଅଂଶ । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଖେଳ ହୋଇଥାଏ । ଯଦି ଅମ୍ପାୟାର ତାହାକୁ ଆଉଟ ଦେଇଥାନ୍ତେ ତେବେ ମ୍ୟାଚର ଫଳାଫଳ ଆମ ସପକ୍ଷରେ ଯାଇଥାନ୍ତା ।
ଏହାସହ ବାବର କହିଛନ୍ତି, ଏହି ମ୍ୟାଚ୍ ଜିତି ସେମିଫାଇନାଲ ରେସରେ ରହିବାର ସୁଯୋଗ ଥିଲା । କିନ୍ତୁ ଏହି ସୁଯୋଗକୁ ଆମେ ହାତଛଡା କଲୁ । କିନ୍ତୁ ଆଗାମୀ ୩ଟି ମ୍ୟାରେ ଜିତିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ବାବର । ଏହାବାଦ୍ ନିଜ ଟିମର ବ୍ୟାଟରଙ୍କୁ ମଧ୍ୟ ଦୋଷ ଦେଇଛନ୍ତି ବାବର । ଏଭଳି ଫଳାଫଳ ବହୁତ ନିରାଶଜନକ । ସହଳ ୱିକେଟ ପଡିବା କାରଣରୁ ଆମେ ଚାପରେ ଥିଲେ ମଧ୍ୟ ଏହାକୁ ପ୍ରତିହତ କରିବାରେ ସଫଳ ହୋଇଥିଲୁ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ୧୦ରୁ ୧୫ ରନ୍ କମ କରିଥିଲୁ । ତେବେ ଆମ ଦଳର ଦ୍ରୁତ ବୋଲର ଦମଦାର ବୋଲିଂ ଜରିଆରେ କମବ୍ୟାକ୍ କରିଥିଲେ । ସେମାନଙ୍କୁ ଯେତେ ପ୍ରଂଶସା କଲେ ମଧ୍ୟ କମ ପଡିବ । କିନ୍ତୁ ଫଳାଫଳ ଆମ ସପକ୍ଷରେ ନଯିବା ହିଁ ବଡ ଦୁଭାଗ୍ୟ ।
ଗୋଟିଏ ପଟେ ଦ୍ରୁତ ବୋଲରଙ୍କୁ ପ୍ରଂଶସାରେ ପୋତି ପକାଇଥିବା ବାବର ନିଜ ଦଳର ସ୍ପିନରଙ୍କ ଉପରେ ବେଶ ଚିଡିଥିଲେ । ଖାସକରି ୪୮ତମ ଓଭର ବୋଲିଂ କରୁଥିବା ନୱାଜଙ୍କ ଉପରେ । କାରଣ ପାକିସ୍ତାନକୁ ବିଜୟ ପାଇଁ ୧ ୱିକେଟ ଆବଶ୍ୟକ ଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ୪ ରନର ଆବଶ୍ୟକତା ଥିଲା । ଶେଷ ୱିକେଟ ଥିବାରୁ ପ୍ରତିଟି ରନ୍କୁ ଯେପରି ରୋକାଯାଇପାରିବ ସେଥିପାଇଁ ବୋଲରଙ୍କ ଅନୁସାରେ ଫିଲ୍ଡରଙ୍କୁ ସଜାଇଥିଲେ ବାବର । କିନ୍ତୁ ଫିଲ୍ଡ ସଜାଇବା ମୁତାବକ ବଲ ପକାଇନଥିଲେ ନୱାଜ । ଲେଗ୍ ସାଇଡରେ ନୱାଜ ବଲ ପକାଇଥିବା ବେଳେ ଏହାକୁ ଚୌକା ମାରିଥିଲେ କେଶବ ମହାରାଜ । ଏହି ଚୌକା ସହ ମ୍ୟାଚକୁ ଜିତି ନେଇଥିଲା ଦକ୍ଷିଣ ଆଫ୍ରିକା । ବିଜୟ ପରେ ଦକ୍ଷିଣ ଆଫ୍ରିକା ଦଳ ସେଲିବ୍ରେସନ କରୁଥିବା ବେଳେ ନୱାଜଙ୍କ ପାଖକୁ ବାବର ଆସିବା ସହ ଆଙ୍ଗୁଠି ଦେଖାଇ ରାଗିକି କିଛି କହୁଥିବାର ଦେଖିବାକୁ ମିଳିଥିଲା । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଏବେ ୬ଟି ମ୍ୟାଚରୁ ୨ଟି ବିଜୟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ପାକିସ୍ତାନ ହାତରେ ଆଉ ୩ଟି ମ୍ୟାଚ୍ ଥିବା ବେଳେ ସେମିଫାଇନାଲ ଖେଳିବା ଆଶା ଏକପ୍ରକାର ଚୁରମାର ହୋଇଛି ।