ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବାବରଙ୍କ ବଡ ବୟାନ । କହିଲେ, ଅହମ୍ମଦାବାଦରେ ଚୁପ୍ ରହିବେନି ପାକିସ୍ତାନୀ ଫ୍ୟାନ୍ ।

459

କନକ ବ୍ୟୁରୋ: ବିଶ୍ୱକପକୁ ଆଉ ମାତ୍ର ଦିନ କେଇଟା ବାକି । ଭାରତରେ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟର ମହାକୁମ୍ଭ । ତେବେ ବିଶ୍ୱକପ୍ ଭିତରେ ଏବେ ସମସ୍ତଙ୍କର ଅପେକ୍ଷା ଭାରତ-ପାକିସ୍ତାନ ମ୍ୟାଚକୁ । କେବେ ଅକ୍ଟୋବର ୧୪ ଆସିବ ଆଉ ଅହମ୍ମଦାବାଦରେ ଭାରତ-ପାକିସ୍ତାନ ଲଢେଇ ହେବ, ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ । ଆଉ ତାରି ଭିତରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ ଟିମର କ୍ୟାପଟେନ୍ ବାବର ଆଜମ୍ ।

ବାବର ଆଜମ୍ କହିଛନ୍ତି, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ୧ ଲକ୍ଷ ଲୋକ ଆସିବେ । ତେବେ ଭିସା ନପାଇବା କାରଣରୁ ବହୁତ ପାକିସ୍ତାନୀ ଲୋକ ଏ ମ୍ୟାଚ୍ ଦେଖିବାକୁ ସୁଯୋଗ ପାଇବେନି । ହେଲେ ତା ସତ୍ୱେ ବି ଆମ ଫ୍ୟାନ୍ସ ଷ୍ଟାଡିୟମରେ ଚୁପ୍ ରହିବେନି ବୋଲି ବାବର ଆଜମ୍ କହିଛନ୍ତି ।

ବାବର ଆହୁରି ମଧ୍ୟ କହିଛନ୍ତି ଯେ, ଆମ ମ୍ୟାଚର ସବୁ ଟିକେଟ୍ ବିକ୍ରି ହେଇସାରିଛି । ଆମକୁ ସପୋର୍ଟ କରିବାକୁ ପାକିସ୍ତାନୀ ଫ୍ୟାନ୍ସ ବି ପ୍ରସ୍ତୁତ ଅଛନ୍ତି । ସୋସିଆଲ୍ ମିଡିଆରେ ମଧ୍ୟ ଆମ ଫ୍ୟାନ୍ସମାନେ ଆକ୍ଟିଭ୍ ରହିବା ସହ ଆମକୁ ଫୁଲ୍ ସପୋର୍ଟ କରିବେ ବୋଲି ପାକିସ୍ତାନ ଟିମର କ୍ୟାପଟେନ୍ ଗଣମାଧ୍ୟମକୁ କହିଛନ୍ତି । ତେବେ ଭାରତ-ପାକିସ୍ତାନ ମ୍ୟାଚରେ ସେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିବେ ଏବଂ ଭାରତ ବିପକ୍ଷରେ ବଡ ସ୍କୋର କରିବେ ବୋଲି କହିଛନ୍ତି ବାବର ଆଜମ୍ ।

ଆସନ୍ତା ଅକ୍ଟୋବର ୧୪ ତାରିଖରେ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଯାଉଛି ଭାରତ-ପାକିସ୍ତାନ ମ୍ୟାଚ୍ । ବିଶ୍ୱର ସମସ୍ତ କ୍ରିକେଟ୍ ପ୍ରେମୀ ଏହି ମ୍ୟାଚକୁ ଚାତକ ଭଳି ଚାହିଁ ରହିଛନ୍ତି । ପାକିସ୍ତାନ ଟିମକୁ ଭିସା ମିଳିସାରିଛି । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ପାକିସ୍ତାନ ଟିମ ଭାରତରେ ପହଞ୍ଚିିବ । ଭାରତରେ ପହଞ୍ଚିବା ପରେ ନଭେମ୍ବର ୨୯ ତାରିଖରେ ନ୍ୟୁଜିଲାଣ୍ଡ ସହିତ ୱାର୍ମଅପ୍ ମ୍ୟାଚ୍ ଖେଳିବ ପାକିସ୍ତାନ । ତେବେ ଏ ସବୁ ପରେ, ସମସ୍ତଙ୍କର ନଜର ରହିଛି ଭାରତ-ପାକ୍ ମ୍ୟାଚ୍ ଉପରେ । ଯେଉଁଠି ମୁହାଁମୁହିଁ ହେବେ ବିଶ୍ୱର ଏହି ଦୁଇ ଚିର ପ୍ରତିଦ୍ୱନ୍ଦ୍ୱୀ ।