ଟି-୨୦ ବିଶ୍ୱକପ୍ ପୂୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ବଡ ଘୋଷଣା । ଶାହିନଙ୍କ ହଟାଇ ବାବରଙ୍କୁ ପୁଣି ମିଳିଲା ଅଧିନାୟକ ଦାୟିତ୍ୱ । 

284

କନକ ବ୍ୟୁରୋ: ସାହିନ୍ ହଟିଲେ, ବାବର ଫେରିଲେ । ପୁଣିଥରେ ପାକିସ୍ତାନ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେଇଛନ୍ତି ବାବର ଆଜମ୍ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ତେବେ କିନ୍ତୁ ପାକିସ୍ତାନ ଟେଷ୍ଟ ଟିମର କମାଣ ଶାନ ମସୁଦଙ୍କ ହାତରେ ରହିବ ବୋଲି ବୋର୍ଡ ସ୍ପଷ୍ଟ କରିଛି ।

ଗତ ଦିନିକିଆ ବିଶ୍ୱକପ୍ ପରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିଦେଇଥିଲେ ବାବର  ଆଜମ୍ । ହେଲେ ଟି-୨୦ ବିଶ୍ୱକପ୍ ପୂର୍ବରୁ ତାଙ୍କୁ ପୁଣିଥରେ ଦଳର ଅଧିନାୟକ ଦାୟିତ୍ୱ ଦେଇଛି ବୋର୍ଡ ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ବାବର ଆଜମ୍ ଓ ପିସିବି ଅଧ୍ୟକ୍ଷ ମୋହସିନ୍ ନକବୀ ଏକାଠି ବସି ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡର ସିଲେକ୍ସନ ସମିତି ବାବର ଆଜମଙ୍କୁ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ କରିବାକୁ ସୁପାରିଶ କରିଥିଲା । ପିସିବି ଚେୟାରମ୍ୟାନ୍ ଏହି ସୁପାରିଶକୁ ଗ୍ରହଣ କରିବା ସହ ବାବରଙ୍କୁ କ୍ୟାପଟେନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦିନିକିଆ ବିଶ୍ୱକପରେ ବାବର ଆଜମ୍ ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ୍ ଥିଲେ । ହେଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ସେ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ୨୦୨୩ ମସିହା ନଭେମ୍ବର ୧୫ ତାରିଖରେ ସେ କ୍ୟାପଟେନ୍ ପଦରୁ ହଟିଥିଲେ । ଏହାପରେ ଶାହିନ୍ ଆଫ୍ରିଦିଙ୍କୁ ଦଳର ନୂଆ ଅଧିନାୟକ ଦାୟିତ୍ୱ ମିଳିଥିଲା । ହେଲେ ଟି-୨୦ ବିଶ୍ୱକପ୍ ପୂର୍ବରୁ ବାବରଙ୍କ ପାଖକୁ ପୁଣି ଫେରିଛି ଅଧିନାୟକ ଦାୟିତ୍ୱ ।