ମାଆ ଭେଣ୍ଟିଲେଟରରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ପୁଅ ପଡିଆରେ ପାକିସ୍ତାନକୁ ବିଜୟୀ କରାଇଲେ । ବାବରଙ୍କ ବାପା କହିଲେ ପୂରା କାହାଣୀ । 

136

କନକ ବ୍ୟୁରୋ : ବିଶ୍ୱକପ ଇତିହାସରେ ପ୍ରଥମଥର ଭାରତ ବିପକ୍ଷରେ ବିଜୟୀ ହୋଇଛି ପାକିସ୍ତାନ । ଆଉ ଏହି ବିଜୟ ପରେ ପାକିସ୍ତାନରେ ଅଦିନିଆ ଉତ୍ସବ ଦେଖିବାକୁ ମିଳିଥିଲା । ବାଣ ଫୁଟାଇ, ମିଠା ଖୁଆଇ ସେଲିବ୍ରେସନ କରିଥିଲେ ପାକିସ୍ତାନବାସୀ । ଆଉ ସବୁଠୁ ବଡ କଥା ହେଉଛି ଚଳିତ ବିଶ୍ୱକପରେ ହ୍ୟାଟ୍ରିକ ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି ପାକିସ୍ତାନ । ଆଉ ପାକିସ୍ତାନର ଏହି ବିଜୟ ପଛର ବଡ ନାୟକ ସାଜିଛନ୍ତି ଅଧିନାୟକ ବାବର ଆଜମ । ଭାରତ ବିପକ୍ଷରେ ବିଜୟ ହେବା ପରେ ଯେତେବେଳେ ପୂରା ଟିମ୍ ସେଲିବ୍ରେସନ କରୁଥିଲା ସେତେବେଳେ ବାବରଙ୍କ ଚିନ୍ତା କିଛି କମ ନଥିଲା । କାରଣ ପଡିଆରେ ପୁଅ ପାକିସ୍ତାନକୁ ବିଜୟୀ କରିବାକୁ ଖେଳୁଥିଲେ, ଆଉ ହସ୍ପିଟାଲର ଭେଣ୍ଟିଲେଟର ବେଡରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ବାବରଙ୍କ ମା’ । ଭାରତ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ଦଳକୁ ବାବର ବିଜୟ ଭେଟି ଦେଇଥିଲେ, ଅନ୍ୟପଟେ ହସ୍ପିଟାଲର ଭେଣ୍ଟିଲେଟର ବେଡରେ ଶୋଇଥିଲେ ବାବରଙ୍କ ମା’ ।

ଏ ବାବଦରେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ବାବରଙ୍କ ବାପା ଆଜମ ସିଦ୍ଦିକି । ସେ କହିଛନ୍ତି, କିଛି ସତ ପାକିସ୍ତାନବାସୀଙ୍କୁ ଜାଣିବାର ଆବଶ୍ୟକତା ରହିଛି । ହ୍ୟାଟ୍ରିକ ବିଜୟ ପାଇଁ ଦଳକୁ ଶୁଭେଚ୍ଛା । କିନ୍ତୁ ଆମ ପରିବାର ପାଇଁ ଏହା ଏକ କଠିନ ସମୟ ଥିଲା, ଯେତେବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଉଥିଲା । କାରଣ  ବାବରଙ୍କ ମା’ ଭେଣ୍ଟିଲେଟରରେ ଥିଲେ । କିନ୍ତୁ ଏବେ ସବୁ ଠିକ୍ ଅଛି । ତେବେ ଗତ ୩ଟି ମ୍ୟାଚରେ ମା’ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବାବର ବେଶ ଚିନ୍ତିତ ଥିଲେ ।

 

View this post on Instagram

 

A post shared by Azam Siddique (@azam.siddique56)

ଚଳିତ ବିଶ୍ୱକପରେ ଏବେଯାଏଁ ପାକିସ୍ତାନର ଅଧିନାୟକ ବାବର ଆଜମ ୩ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ହାସଲ କରି ଦଳର ବିଜୟ ପଛର ନାୟକ ସାଜିଛନ୍ତି । ଭାରତ ବିପକ୍ଷରେ ଅପରାଜିତ ୬୮ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମାତ୍ର ୯ ରନ୍ କରି ଆଉଟ ହୋଇଥିଲେ ବାବର । କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଯେତେବେଳେ ଦଳ ସଙ୍କଟରେ ପଡିଥିଲା ସେତେବେଳେ ୫୧ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ସେମିଫାଇନାଲର ନିକଟତର କରିଛନ୍ତି ।