କନକ ବ୍ୟୁରୋ : ଅକ୍ଟୋବର ୨୩ । ମେଲବୋର୍ଣ୍ଣ ମୈଦାନରେ ମୁହାଁମୁହିଁ ହେବେ ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଯେଉଁ ହାଇଭୋଲଟେଜ ଓ ରୋମାଞ୍ଚକର ମୁକାବିଲା ଦେଖିବାକୁ ବିଶ୍ୱର କ୍ରିକେଟପ୍ରେମୀ ଚାହିଁ ରହିଛନ୍ତି । ଯେହେତୁ ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ଭାରତ ପରାଜିତ ହୋଇଛି ତେଣୁ ଏହି ମ୍ୟାଚରେ ଜିତି ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ପୂରା ବିଶ୍ୱବାସୀଙ୍କ ନଜର ରହିଥିବାରୁ ଏହି ମ୍ୟାଚ୍ ପାଇଁ ଉଭୟ ଟିମ ଚାପରେ ସ୍ୱାଭାବିକ । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ସଭାପତି ରମିଜ ରାଜାଙ୍କ ବୟାନ ସଂକେତ ଦେଇଛି ଯେ, ଭାରତ ବିପକ୍ଷ ମ୍ୟାଚକୁ ନେଇ ପାକିସ୍ତାନ ଯଥେଷ୍ଟ ଅଧିକ ଚାପରେ ରହିଥାଏ । ଯେଉଁଥିପାଇଁ ଅଷ୍ଟ୍ରେଲିଆ ଆସିବା ପୂର୍ବରୁ ପାକିସ୍ତାନରେ ହିଁ ଭାରତ ବିପକ୍ଷରେ ଋଣନୀତି ପ୍ରସ୍ତୁତ କରିଛି ବାବର ବାହିନୀ ।

Advertisment

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କ ସହ ଆଲୋଚନା କରିଥିଲେ ପିସିବି ଅଧ୍ୟକ୍ଷ ରମିଜ ରାଜା । ଭାରତ ଓ ରୋହିତ ଶର୍ମାଙ୍କ ପାଇଁ କଣ ସ୍ୱତନ୍ତ୍ର ପ୍ଲାନ କରିଛ ବୋଲି ବାବରଙ୍କୁ ପଚାରିଥିଲେ ରମିଜ । ଯାହା ସ୍ପଷ୍ଟ ଦର୍ଶାଉଥିଲା ଯେ, ଭାରତ ବିପକ୍ଷ ମ୍ୟାଚ୍ ପାକିସ୍ତାନ ପାଇଁ କେତେ ଗୁରୁତ୍ୱ ବହନ କରେ ଓ ରୋହିତ ଶର୍ମା ପାକିସ୍ତାନ ପାଇଁ ବଡ ବିପଦ ସାଜିପାରନ୍ତି । ଯେଉଁଥିପାଇଁ ପାକିସ୍ତାନ ଟିମକୁ ସ୍ୱତନ୍ତ୍ର ଋଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ରମିଜ । ଏପରିକି ରୋହିତ ଶର୍ମାଙ୍କୁ କିଭଳି ସହଳ ଆଉଟ କରିହେବ ତାହାର ସୂତ୍ର ବଖାଣିଥିଲେ, ଆଉ ବାବର ଏହାକୁ ବେଶ ଉତ୍ସାହର ସହ ଶୁଣିଥିଲେ ।

ପିସିବି ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, ପାକିସ୍ତାନର ଶାହିନ ସାହା ଆଫ୍ରିଦି ୧୫୦ କିଲୋମିଟର ପ୍ରତି ଘଣ୍ଟା ବୋଲିଂ କରିବାର ଦକ୍ଷତା ରଖିଛନ୍ତି । ତେଣୁ ରୋହିତ ବ୍ୟାଟିଂ କରୁଥିବା ବେଳେ ସର୍ଟ ଲେଗରେ ଏକ ଫିଲ୍ଡର ରଖି ଆଫ୍ରିଦଙ୍କୁ ବୋଲିଂ କରାଇବାର ଆବଶ୍ୟକତା ରହିଛି । ଆଫ୍ରିଦଙ୍କୁ ୧୫୦ରୁ ଅଧିକ ଗତିରେ ଇନ ସ୍ୱିଙ୍ଗ୍ ୟର୍କର ପକାଇବାକୁ କହିବା ସହ ରୋହିତଙ୍କୁ ଷ୍ଟ୍ରାଇକ ରୋଟେଟ କରିବାକୁ ସୁଯୋଗ ନଦେବା ଉଚିତ୍ । ରୋହିତଙ୍କୁ ଲଗାତାର ଷ୍ଟ୍ରାଇକରେ ରଖି ଏହିଭଳି ବଲ ପକାଇଲେ ପାକିସ୍ତାନ ଟିମ୍ ଅତି ସହଳ ରୋହିତଙ୍କ ୱିକେଟ ହାସଲ କରିପାରିବ । ରମିଜଙ୍କ ଏହି ବୟାନ ସ୍ପଷ୍ଟ ଦର୍ଶାଉଛି ଯେ, ରୋହିତଙ୍କ ଇନିଂସକୁ ନେଇ ପାକିସ୍ତାନ ଟିମ୍ କେତେ ଭୟଭୀତ ।

ଗୋଟିଏ ପଟେ ପାକିସ୍ତାନ ଟିମ୍ ରୋହିତଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଫର୍ମକୁ ଫେରିଛନ୍ତି ଦୁଦ୍ଦର୍ଷ ବ୍ୟାଟର କେ.ଏଲ ରାହୁଲ । ଅଭ୍ୟାସ ମ୍ୟାଚରେ ଲଗାତାର ଅର୍ଦ୍ଧଶତକ ହାସଲ କରି ପାକିସ୍ତାନର ଚିନ୍ତା ବଢାଇଛନ୍ତି ରାହୁଲ । ସେହିଭଳି ମଧ୍ୟକ୍ରମରେ କୋହଲି ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ଯାହା ଟିମ୍ ଇଣ୍ଡିଆକୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଗରେ ରଖିବ । ସେହିଭଳି ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଦଳ ବିସ୍ଫୋରକ ଇନିଂସର ଆଶା ରଖିଛି । ଆଉ ଏହାକୁ ପୂରା କରିବାକୁ ଉଭୟ ସକ୍ଷମ । ତେଣୁ ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ପାଇଁ ଏତେ ସହଜ ହେବ ନାହିଁ । ଏହାବାଦ୍ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ରାହୁଲ ଓ ସୂର୍ଯ୍ୟକୁମାରଙ୍କ ଇନିଂସ ପାକିସ୍ତାନ ପାଇଁ ସତର୍କ ଘଣ୍ଟି ବଜାଇଛି ।