ସରିଲା ସାରଥୀଙ୍କ ସଜ୍ଜା ! ମିଳିଲା ଜାମିନ୍, ମୁକୁଳିବେ ‘ମାନ୍ୟବର’ ।

736

କନକ ବ୍ୟୁରୋ : ଜେଲରୁ ମୁକୁଳିବେ ସାରଥୀ ବାବା । ଶେଷ ହେଲା ଭଣ୍ଡ ବାବାଙ୍କ ଜେଲ୍ ସଜା । ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଦୁଇଟି ମାମଲାରେ ବେଲ୍ ପାଇସାରିଥିବା ସାରଥୀଙ୍କୁ ଆଜି ତୃତୀୟ ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି ।

ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’-ଝିଅଙ୍କ ପକ୍ଷରୁ ୩ୟ ମାମଲା ଦାୟର ହୋଇଥିଲା। ତେବେ ଏହି ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତମୂଳକ ଜାମିନ୍ ମିଳିଛି । ଏହା ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ହାଇକୋର୍ଟ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଳ କୋର୍ଟ ଚାହିଁଲେ ଏହି ମାମଲାରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କୋର୍ଟ କହିଛନ୍ତି ।

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥୀ ବାବା ଓରଫ ସନ୍ତୋଷ ରାଉଳ ବିରୋଧରେ ମୋଟ୍ ୩ଟି ମାମଲା ରହିଥିଲା । ତେବେ ପୂର୍ବରୁ ଦୁଇଟି ମାମଲାରେ ବେଲ୍ ପାଇଥିଲେ ବାବା ସାରଥୀ । ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି କଟକ ଚୌଦାର ଜେଲରେ ବନ୍ଦୀ ଥିଲେ ସାରଥୀ । ଆଜି ତାଙ୍କୁ ସମସ୍ତ ତିନୋଟି ଯାକ ମାମଲାରେ ହାଇକୋର୍ଟ ବେଲ୍ ପ୍ରଦାନ କରିଛନ୍ତି ।