କରୋନ ଔଷଧ ନାଁରେ ବିକ୍ରି ହୋଇଗଲା ବାବା ରାମଦେବଙ୍କ କରୋନିଲ ଔଷଧ । ୪ମାସରେ ୨୪୧ କୋଟି ଟଙ୍କାର ବ୍ୟବସାୟ କଲା ପତଞ୍ଜଳୀ । ଡାକ୍ତର କହିଲେ, କରୋନା ଔଷଧ ନୁହେଁ, ବୃଦ୍ଧି କରୁଥାଇପାରେ ସାମାନ୍ୟ ରୋଗ ପ୍ରତିରୋଧକ ଶକ୍ତି

888

କନକ ବ୍ୟୁରୋ : କରୋନାରୁ ମୁକ୍ତି ପାଇବା ପାଇଁ ସାରା ଦୁନିଆଁ ଟିକାକୁ ଚାହିଁ ବସିଛି । ହେଲେ କେବେ ଟିକା ଆସିବ ଏହା ସଠିକ୍ ଭାବେ କାହାକୁ ଜଣା ନାହିଁ । ଏଭଳି ସମୟରେ ଇମ୍ୟୁନିଟି ବୁଷ୍ଟର ଭାବେ ବାବା ରାମଦେବ ବଜାରକୁ ଆଣିଥିବା କରୋନିଲ କିଟ୍ ରେକର୍ଡ ସଂଖ୍ୟକ ବିକ୍ରି ହୋଇଛି । ଭାସି ଗଲା ବେଳେ କୂଟା ଖିଅକୁ ଆଶ୍ରା ଭଳି ଯୋଗଗୁରୁ ରାମଦେବଙ୍କ ଉପରେ ଭରଷା କରି ତାଙ୍କ କରୋନିଲ କିଟକୁ କିଣି ନେଇଛନ୍ତି ଲକ୍ଷ ଲକ୍ଷ ଲୋକ । ଆଉ ମାଲାମାଲ ହୋଇଛନ୍ତି ବାବା ରାମଦେବ ।

କରୋନା କବଳରୁ ରକ୍ଷା କରିପାରୁ କି ନପାରୁ, କିନ୍ତୁ ବ୍ୟବସାୟ ସଫଳତା ହାସଲ କରିବାରେ ସଫଳ ହୋଇଛି ବାବା ରାମଦେବଙ୍କ ଆୟୁର୍ବେଦ କମ୍ପାନୀ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ୍ । ବଜାରକୁ ଆସିବାର ମାତ୍ର ୪ ମାସରେ କରୋନିଲ କିଟ୍ ଓ ଏହାର ଏକକ ଉତ୍ପାଦ ୮୫ ଲକ୍ଷ ୟୁନିଟ୍ ବିକ୍ରି ହୋଇଛି । ଯାହାର, ବଜାର ମୂଲ୍ୟ ପ୍ରାୟ ୨୪୧ କୋଟି ଟଙ୍କା ବୋଲି କୁହାଯାଉଛି ।

ତେବେ ଏହା ରାମଦେବଙ୍କ ମାର୍କେଟିଂ ଷ୍ଟ୍ରାଟେଜୀ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ଚିକିିତ୍ସା ବିଶେଷଜ୍ଞ । କରୋନା ଉପରେ କରୋନିଲର କଣ ରହିଛି ପ୍ରଭାବ? ଏହା କରୋନାକୁ ରୋକିବାରେ କେତେ ସକ୍ଷମ ? ଏନେଇ ଚିକିତ୍ସା ବିଶେଷଜ୍ଞଙ୍କ ନିକଟରେ କୌଣସି ସଠିତ ତଥ୍ୟ ନାହିଁ । ହେଲେ ଯୋଗଗୁରୁ ବାବା ରାମଦେବଙ୍କ ଉପରେ ଲୋକଙ୍କ ଭରଷା ଥିବାରୁ ତାଙ୍କ ନିର୍ମିତ ଔଷଧ ଲୋକଙ୍କ ମନ ଜିଣିବାରେ ସକ୍ଷମ ହୋଇପାରିଛି ବୋଲି ଆଉ କିଛି ଡାକ୍ତର କହିଛନ୍ତି ।

ଜୁନ୍ ୨୩ରେ କରୋନିଲ୍ କିଟର ବଜାର ପ୍ରବେଶ କରାଇଥିଲେ ବାବା ରାମଦେବ । ହେଲେ ଏହାର କୌଣସି କ୍ଲିନିକାଲ ଟ୍ରାଏଲ ହୋଇନଥିବାରୁ ଏହାର କାର୍ଯ୍ୟକାରିତା ନେଇ ସୃଷ୍ଟି ହୋଇଥିଲା ବିବାଦ । ତାପରେ ଆୟୁଷମନ୍ତ୍ରାଳୟ ଏହାକୁ କେବଳ ଇମ୍ୟୁନିଟି ବୁଷ୍ଟର ଭାବେ ବିକ୍ରି କରିବାକୁ ଅନୁମତି ଦେଇଛି ।