ତେଲ ଦର ବୃଦ୍ଧି ନେଇ ବାବା ରାମଦେବଙ୍କ ଉଦବେଗ ! କହିଲେ, ସରକାର ଅନୁମତି ଦେଲେ ୩୫ ରୁ ୪୦ ଟଙ୍କାରେ ବିକିବେ ପେଟ୍ରୋଲ, ଡିଜେଲ ।

40

କନକ ବ୍ୟୁରୋ : ଦିନକୁ ଦିନ ପେଟ୍ରୋଲ ଡିଜେଲ ଦର ଆକାଶଛୁଆଁ ହେଉଥିବା ବେଳେ ଲୋକଙ୍କ ଅସନ୍ତୋଷ ତେଜୁଛି । ରାଜ୍ୟ ସରକାର କେନ୍ଦ୍ରକୁ ଦାୟୀ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି । ଏହାରି ଭିତରେ ଯୋଗଗୁରୁ ବାବା ରାମଦେବ ନିଜର ନୂଆ ଫର୍ମୁଲା କଥା କହିଛନ୍ତି । ସେ ଦାବି କରିଛନ୍ତି ଯଦି ସରକାର ତାଙ୍କୁ  ପେଟ୍ରୋଲ ଓ ଡିଜେଲ ବିକ୍ରି କରିବାକୁ ଅନୁମତି ଦିଅନ୍ତି ତାହେଲେ ପେଟ୍ରୋଲ ଡିଜେଲ ପ୍ରତି ଲିଟର ପିଛା ୩୫ରୁ ୪୦ଟଙ୍କାରେ ସେ ବିକ୍ରି କରିବେ ।

ଦେଶରେ ପେଟ୍ରୋଲ ଲିଟର ପିଛା ୯୦ଟଙ୍କା ପାର କରିଥିବାବେଳେ ରାମଦେବଙ୍କ ଏପରି ଦାବି ସମସ୍ତଙ୍କୁ ଚକିତ କରିଛି । କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ସ୍ଲାବରେ ସର୍ବନିମ୍ନ ୫ ପ୍ରତିଶତ ସାମିଲ କରାଯିବା ଉଚିତ । ତୁରନ୍ତ ପେଟ୍ରୋଲ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ରାମଦେବ କହିଛନ୍ତି । ତେଲ ଦର ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକଙ୍କ ପକେଟକୁ ଏହା ମାଡ କରୁଛି । ଆଗକୁ ଆସୁଛି ୨୦୧୯ ନିର୍ବାଚନ । ତେଣୁ ନିର୍ବାଚନ ପୂର୍ବରୁ ଯଦି ସରକାର ଏହାକୁ ନିୟନ୍ତ୍ରଣକୁ ନଆଣନ୍ତି ତାହେଲେ ସରକାରଙ୍କ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାମଦେବ କହିଛନ୍ତି ।