ସୁପ୍ରିମକୋର୍ଟରୁ ପୁଣି ନିରାଶ ହେଲେ ବାବା ରାମଦେବ ଓ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା । ଉଭୟଙ୍କ କ୍ଷମା ଆବେଦନଗ୍ରହଣ କଲେନି କୋର୍ଟ ।

157

କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ ପୁଣି ନିରାଶ ହେଲେ ବାବା ରାମଦେବ ଓ ପତଞ୍ଜଳୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା । ଉଭୟଙ୍କ କ୍ଷମା ଆବେଦନଗ୍ରହଣ କଲେନି କୋର୍ଟ । ଶୁଣାଣୀ କରି କୋର୍ଟ କହିିଛନ୍ତି ବାରମ୍ବାର ତାଗିଦ ସତ୍ୱେ ଆପଣମାନେ କୋର୍ଟଙ୍କ ଅବମାନନା କରିଛନ୍ତି । ଭବିଷ୍ୟତରେ କାର୍ଯ୍ୟାନୁଷ୍ଟାନ ପାଇଁ ରୁହ ପ୍ରସ୍ତୁତ । କିିଛି ଦିନ ହେବ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ସମସ୍ୟା ବଢ଼ି ଚାଲିଛି ।

ପତଞ୍ଜଳୀ ପକ୍ଷରୁ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣୀ । ବାବା ରାମଦେବ ଏବଂ ପତଞ୍ଜଳୀ ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଲେ ସର୍ବୋଚ୍ଚ ଅଦାଲତ । କ୍ଷମାପତ୍ରକୁ ଖାରଜ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ଉଭୟଙ୍କୁ କୋର୍ଟ ଚେତାବନୀ ଦେଇଛନ୍ତି । ସତ୍ୟପାଠ ଆକାରରେ ଦାଖଲ କରାଯାଇଥିବା କ୍ଷମାପତ୍ର କୋର୍ଟରେ ଦାଖଲ ହେବା ପୂର୍ବରୁ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା କୋର୍ଟଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ନାଁ ନିଜର ପ୍ରଚାର ପ୍ରସାର ପାଇଁ ଉଦ୍ଧିଷ୍ଟ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦୀନଙ୍କୁ ନେଇ ଗଠିତ ଖଣ୍ଡପୀଠ । ପତଞ୍ଜଳୀ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କ୍ଷମାପତ୍ର ପଢିଥିବା ବେଳେ ଏହାକୁ ଖାରଜ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ । ଏହି ମାମଲାରେ ଆମେ ଉଦାରବାଦୀ ହୋଇପାରିବୁ ନାହିଁ, ଯେଉଁମାନେ ଭୁଲ କରିଛନ୍ତି ସେମାନେ ଦଣ୍ଡ ଭୋଗିବାକୁ ମଧ୍ୟ ପ୍ରସ୍ତୁତ ରୁହନ୍ତୁ ବୋଲି ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ଏପ୍ରିଲ ୨ତାରିଖରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା କୋର୍ଟରେ ହାଜର ହୋଇ ନିସର୍ତ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ କୋର୍ଟ । ରୋଗ ଭଲ କରିବା ନାଁରେ ପତଞ୍ଜଳି ନିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ ମେଡିସିନର ମିଛ ବ୍ରାଣ୍ଡିଂ କରୁଥିବା ନେଇ ଆସିଥିଲା ଅଭିଯୋଗ । ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏସ । ଫେବ୍ରୁଆରୀ ୨୭ରେ ସୁପ୍ରିମକୋର୍ଟ ପତଞ୍ଜଳୀ ଆର୍ୟୁବେଦକୁ କିଛି ନିର୍ଦ୍ଧିଷ୍ଟ ରୋଗ ଉପରେ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ । କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବେଖାତିର କରି ବାରମ୍ବର ବିଜ୍ଞାପନ ପ୍ରକାଶ କରୁଥିଲା ପତଞ୍ଜଳି । ତେବେ ଏହି ମାମଲାରେ କୋର୍ଟଙ୍କ ଆଗାମୀ ପଦକ୍ଷେପ ଉପରେ ନଜର ରହିଛି ।