ନୂଆ ରୁପରେ ବାବା କା ଢାବା  : ନୂଆ ରେସ୍ତୋରାଁ ଖୋଲିଲେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ‘ବାବା କା ଢାବା’ର ମାଲିକ 

167

କନକ ବ୍ୟୁରୋ : ନୂଆ ରୁପରେ ବାବା କା ଢାବା । ସୋସିଆଲ ମିଡ଼ିଆରେ ଚର୍ଚ୍ଚା ସାଉଁଟିଥିବା ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ମାଲବୀୟ ନଗରରେ ଏକ ନୂଆ ରେଷ୍ଟୁରାଂଟ ଉଦଘାଟନ କରିଛନ୍ତି । ୟୁଟ୍ୟୁବର ଗୌରବ ବାସନଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବାବା କା ଢାବା ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ଏହାପରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ ଗୌରବଙ୍କ ଉପରେ ପଇସା ପତ୍ର ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏଥିପାଇଁ କାନ୍ତା ପ୍ରସାଦ ମଧ୍ୟ ପୋଲିସର ଦ୍ୱାରସ୍ତ ହୋଇଥିଲେ ।

କିନ୍ତୁ ଏତେସବୁ ବିବାଦ ଭିତରେ କାନ୍ତା ପ୍ରସାଦ ତାଙ୍କର ଏକ ନୂଆ ରେଷ୍ଟୁରାଂଟର ଉଦଘାଟନ କରିଛନ୍ତି । ରେଷ୍ଟୁରାଂଟ ଉଦଘାଟନ ସମୟରେ କାନ୍ତା ପ୍ରସାଦ କହିଛନ୍ତି ତାଙ୍କର ଗୌରବଙ୍କ ସାଙ୍ଗରେ କିଛି ମତପାର୍ଥକ୍ୟ ନାହିଁ । ଗୌରବ ତାଙ୍କ ରେଷ୍ଟୁରାଂଟକୁ ଖାଇବାକୁ ଆସିଲେ ସେ ଖୁସି ହେବେ ବୋଲି କହିଛନ୍ତି କାନ୍ତାପ୍ରସାଦ । ଗୌରବଙ୍କ ଯୋଗୁଁ ସେ ଏତେ ବାଟ ପର୍ଯ୍ୟନ୍ତ ପହଂଚିଛନ୍ତି ବୋଲି କହିଛନ୍ତି କାନ୍ତାପ୍ରସାଦ । ସାଧାରଣ ଜନତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କାନ୍ତାପ୍ରସାଦ ।

ଏହା ସହ ରେଷ୍ଟୁରାଂଟ ଖୋଲିବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି କାନ୍ତା ପ୍ରସାଦ । ତେବେ ଖୁସିର କଥା ହେଉଛି କାନ୍ତାଙ୍କ ନୂଆ ରେଷ୍ଟୁରାଂଟରେ ମେନୁ ରହିଛି ଇଣ୍ଡିଆନ ଏବଂ ଚାଇନିଜ ଖାଦ୍ୟ । ରେଷ୍ଟୁରାଂଟରେ ଖାଦ୍ୟ ପ୍ରସ୍ତୁତ ପାଇଁ ୨ଜଣ ସେଫ ଏବଂ ଜଣେ ସପୋର୍ଟିଂ ଷ୍ଟାଫ୍ ରହିବେ । ସେ ନିଜେ ତାଙ୍କ ପୁରୁଣା ଢାବା ଚଲାଇବା ସହ ନୂଆ ଢାବା ଚଲାଇବା ପାଇଁ ତାଙ୍କୁ ତାଙ୍କ ପୁଅ ସହାୟତା କରୁଛନ୍ତି ।