କନକ ବ୍ୟୁରୋ: ‘ବାବା କା ଢାବା’ରୁ ବଡ ଠକେଇ । ସାହାଯ୍ୟ କଲେ, ହଡପ ବି କଲେ । ବୃଦ୍ଧ ଦମ୍ପତ୍ତି ଆଣିଲେ ବଡ ଅଭିଯୋଗ । ଇଏ ହେଉଛନ୍ତି ସେହି ବୃଦ୍ଧ ଯିଏ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ସେନସେସନ ପାଲଟିଥିଲେ । ଯାହାଙ୍କ ଗୋଟିଏ ଭିଡିଓ କ୍ଲିପରେ ଏ ବୃଦ୍ଧ ଜଣଙ୍କ ସାରା ଦେଶରେ ରାତାରାତି ଚର୍ଚ୍ଚିତ ହୋଇଥିଲେ, ଏବେ ସେହି ଭିଡିଓ ନିର୍ମାତାଙ୍କ ଉପରେ ବୃଦ୍ଧ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଲକ୍ଷ ଲକ୍ଷ ଟଙ୍କା ଠକେଇର ଅଭିଯୋଗ ଆଣି ବୃଦ୍ଧ ଜଣଙ୍କ ୟୁଟ୍ୟୁବର ଗୌରବଙ୍କ ଗୁମର ଫିଟାଇନ୍ତି । ଯାହା ଦିଲ୍ଲୀ ମାଲଭିଆ ନଗରର ବାବା କା ଢାବାକୁ ପୁଣି ଥରେ ଚର୍ଚ୍ଚିତ କରାଇଛି ।
ବାବା କା ଢାବାର ମାଲିକ ୮୦ ବର୍ଷୀୟ କାନ୍ତା ପ୍ରସାଦ ୟୁଟ୍ୟୁବର ଗୌରବ ୱାସନଙ୍କ ନାଁରେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଠକେଇ, ଦୁର୍ବବ୍ୟହାର, ବିଶ୍ୱାସଘାତକତା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ହୋଇଥିବା କାନ୍ତା । ତେବେ ଗୌରବ ପ୍ରଥମେ ଭିଡିଓ ସୁଟ୍ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ କାନ୍ତାଙ୍କ ପାଇଁ ଛୁଟିଥିଲା ସହାୟତାର ହାତ । ଯେଉଁ ସହାୟତା ଅର୍ଥକୁ ଗୌରବ ଗାଏବ କରିଥିବା କାନ୍ତା ପୋଲିସକୁ କହିଛନ୍ତି ।
ତେବେ ସହାୟତା ପାଇଁ ବୃଦ୍ଧ ଦମ୍ପତ୍ତିଙ୍କ ବ୍ୟାଙ୍କ ଖାତାକୁ ଗୌରବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତାଙ୍କ ବିନା ଅନୁମତିରେ କି ସ୍ତ୍ରୀଙ୍କ ବିନା ଅନୁମତିରେ ଆକାଉଣ୍ଟ ସେୟାର କରିଥିଲେ । ଯେଉଁଥିରେ ଲୋକେ ଟଙ୍କା ପଠାଇଛନ୍ତି । ତେବେ ବ୍ୟାଙ୍କ ଖାତାରେ କେତେ ଟଙ୍କା ଅଛି ଏଯାଏଁ ଗୌରବ କିଛି ସ୍ପଷ୍ଟ କରୁ ନଥିବା ବେଳେ ମାତ୍ର ୨ ଲକ୍ଷ ଟଙ୍କା ଦେଇ ଆଉ ବୃଦ୍ଧ ଦମ୍ପତ୍ତିଙ୍କୁ ଧରାଛୁଆଁ ଦେଉନଥିବା କାନ୍ତା ଅଭିଯୋଗରେ ଲେଖିଛନ୍ତି ।
ସେପଟେ ଲକଡାଉନ ସମୟରେ ବୃଦ୍ଧ ଦମ୍ପତ୍ତିଙ୍କ ଦୋକାନକୁ କେହି ଲୋକ ଆସୁ ନଥିବାରୁ ବେପାର ହେଉନଥିଲା । କେମିତି ପେଟ ପୋଷିବେ ଏହି ଚିନ୍ତାରେ ରହି କଷ୍ଟର କାହାଣୀ ବଖାଣୁ ବଖାଣୁ କାନ୍ଦି ପକାଇଥିଲେ ୮୦ ବର୍ଷର ଏ ବୃଦ୍ଧ । ଯାହାକୁ ନିଜ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଛାଡିଥିଲେ ୟୁଟ୍ୟୁବର ଗୌରବ ୱାସନ । ଆଉ ତାପରେ ରାତାରାତି ଚର୍ଚ୍ଚାକୁ ଆଲିଲା ବାବା କା ଢାବା । ବେଶ କିଛି ଦିନ ଭଲ ବେପାର ହେବା ପରେ ଏବେ ପୁଣି ବେପାର ମାନ୍ଦା ଥିଲା କହିଛନ୍ତି ବୃଦ୍ଧ । ବେପାର କମୁଥିବା ବେଳେ ପୁଣି ଗୌରବଙ୍କ ଟଙ୍କା ଠକେଇ ଘଟଣା କଟା ଘାରେ ଲୁଣ ମାରିବା ପରି କଥା । ତେବେ ବୃଦ୍ଧଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ କଥା ଭିତ୍ତିହୀନ ବୋଲି ଗୌରବ କହିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।