ଦିନେ ରାସ୍ତାକଡରେ ଚଲାଉଥିଲେ ଢାବା । ଏବେ ନୂଆ ରେସ୍ତୋରାଁ ଖୋଲିଲେ ‘ବାବା କା ଢାବା’ର ମାଲିକ । ନିଜେ ରେସ୍ତୋରାଁ ବସୁଛନ୍ତି, ଲୋକଙ୍କୁ କାମରେ ଲଗାଉଛନ୍ତି ।

129

କନକ ବ୍ୟୁରୋ : ଦିନେ ରାସ୍ତାକଡରେ ଚଲାଉଥିଲେ ଢାବା । ଆଉ ସୋସିଆଲ ମିଡିଆର ପାୱାରରେ ହେଇଗଲେ ଫେମସ । ହଁ ଆମେ କହୁଛୁ ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ କଥା । ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବା କା ଢାବାର ମାଲିକ । ଢାବାରେ ବିକ୍ରି ନ ହେବା ଯୋଗୁଁ ଦିନେ କାନ୍ଦି ପକାଇଥିବା କାନ୍ତା ପ୍ରସାଦ ଆଉ ଆଜି ଖୋଲିଛନ୍ତି ଏକ ନୂଆ ରେଷ୍ଟୁରାଣ୍ଟା ଆଉ ଏଇ ରେଷ୍ଟୁରାଣ୍ଟର କ୍ୟାସ କାଉଣ୍ଟରର ଦାୟିତ୍ୱ ସମ୍ଭାଳୁଛନ୍ତି ନିଜେ କାନ୍ତାପ୍ରସାଦ । ରେଷ୍ଟୁରାଣ୍ଟର କାମ କରିବା ପାଇଁ ସେ କର୍ମଚାରୀ ମଧ୍ୟ ରଖିଛନ୍ତି ।

ସୋସିଆଲ ମିଡିଆ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇବ ତାହା କେହି ବି କହିପାରିବେନି । ଏଭଳି ସୋସିଆଲ ମିଡିଆର ପ୍ରଭାବ ପଡିଛି ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ ଉପରେ । ଏହାପରେ ପୂରା ବଦଳି ଯାଇଛି କାନ୍ତାପ୍ରସାଦଙ୍କ ଜୀବନ । ରାସ୍ତା କଡରେ ଢାବା ଚାଲୁ ନଥିବାରୁ ଦିନେ କାନ୍ଦି ପକାଇଥିଲେ କାନ୍ତା ପ୍ରସାଦ । ଆଉ ଭାଇରାଲ ହୋଇଯାଇଥିଲା ତାଙ୍କର ଏହି ଭିଡିଓ । ପରେ ଏହି ବୃଦ୍ଧଙ୍କୁ ସହାୟତା ପାଇଁ ଚାରିଆଡୁ ସାହାଯ୍ୟର ସୁଅ ଛୁଟିଥିଲା ।

ରେଷ୍ଟୁରାଣ୍ଟ କରିବା ପାଇଁ କାନ୍ତା ପ୍ରସାଦ ୩୫ ହଜାର ଟଙ୍କାରେ ଏକ ଦୋକାନ ଘର ଭଡା ନେଇଛନ୍ତି । ବାବାଙ୍କ ଏହି ନୂଆ ରେଷ୍ଟୁରାଣ୍ଟରେ ସିସିଟିଭ କ୍ୟାମେରା ମଧ୍ୟ ଲାଗିଛି । ଯାହା ଦ୍ୱାରା କାନ୍ତା ପ୍ରସାଦ ରେଷ୍ଟୁରାଣ୍ଟକୁ ଆସୁଥିବା ଲୋକ ଓ ନିଜ କର୍ମଚାରୀଙ୍କ କାମ ଉପରେ ନଜର ରଖୁଛନ୍ତି । ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କାନ୍ଥରେ ବିଭିନ୍ନ ପ୍ରକାର ପେଣ୍ଟିଙ୍ଗ କରାଯାଇଛି । ଏହାସହ ରେଷ୍ଟୁରାଣ୍ଟରେ ଇଣ୍ଡିଆନ ଓ ଚାଇନିଜ ଖାଦ୍ୟ ମଧ୍ୟ ତିଆରି ହେଉଛି । ତେବେ ରେଷ୍ଟୁରାଣ୍ଟ ଖୋଲିବା ପରେ ସ୍ୱାମୀ-ସ୍ତ୍ରୀ ଖୁସି ଥିବା କହିଛନ୍ତି କାନ୍ତା ପ୍ରସାଦଙ୍କ ସ୍ତ୍ରୀ ।

ବାବା କା ଢାବା ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଗୌରବ ୱାସନ ନାମକ ଜଣେ ୟୁଟୁବର କାନ୍ତାପ୍ରସାଦଙ୍କ କାନ୍ଦୁଥିବା ଭିଡିଓ କରି ଭାଇରାଲ କରିଥିଲେ । ଆଉ ଏହି ଭିଡିଓ ଜରିଆରେ ଏଠାରେ ଖାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଥିଲେ । ଏହାପରେ ବାବା କା ଢାବାରେ ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ଏହାସହ କାନ୍ତା ପ୍ରସାଦଙ୍କୁ ସାହାଯ୍ୟ କରିବା ପାଇଁ ଲୋକମାନେ ତାଙ୍କୁ ଅନଲାଇନ ଓ ଅଫଲାଇନରେ ଅନେକ ଟଙ୍କା ପଠାଇଥିଲେ । ପରେ ଟଙ୍କା ହେରଫେର ନେଇ କାନ୍ତା ପ୍ରସାଦ ଓ ଗୌରବଙ୍କ ମଧ୍ୟରେ ବିବାଦ ହୋଇଥିଲା ।

କାନ୍ତା ପ୍ରସାଦ ଗୌରବଙ୍କ ନାଁରେ ଟଙ୍କା ହଡପ କରି ନେଇଥିବା ଅଭିଯୋଗ ଆଣିଥିଲେ । ହେଲେ ଗୌରବ ଏହି ଅଭିଯୋଗକୁ ଖଣ୍ଟନ କରିଥିଲେ । ଆଉ କହିଥିଲେ ସେ କାନ୍ତା ପ୍ରସାଦଙ୍କ ସମସ୍ତ ଟଙ୍କା ତାଙ୍କୁ ଦେଇ ଦେଇଛନ୍ତି ।