କିଏ ଖାଇଗଲା ବାବା କା ଢାବା ପଇସା ? ଭିଡିଓ ସେୟାର କରି ପ୍ରସିଦ୍ଧ କରାଇଥିଲେ, ଟଙ୍କା ନେଇ ଠକିଦେଲେ । ୟୁଟ୍ୟୁବର ଗୌରବଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଢାବା ମାଲିକ ।

587

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବାବା କା ଢାବାକୁ ନେଇ ଏବେ ନୂଆ ଚର୍ଚ୍ଚା । ୟୁଟ୍ୟୁବର ଗୌରବ ୱାସନ ଏହି ବୃଦ୍ଧ ଦମ୍ପତିଙ୍କର ଏକ ଭିଡିଓ ବନାଇଥିଲେ ଯେଉଁଥିରେ କରୋନା ଯୋଗୁଁ ରୋଜଗାର ହେଉନଥିବାରୁ ନିଜର ଅସହାୟତା ପ୍ରକାଶ କରିଥିଲେ ଏହି ଦମ୍ପତି । ପରେ ଏହି ଭିଡିଓଟି ବେଶ ଭାଇରାଲ ହୋଇଥିଲା । ଏବଂ ସାରା ଦେଶରୁ ସହାୟତାର ହାତ ବଢିଥିଲା । ଏବେ ଏହି କାହାଣୀରେ ଏକ ଟ୍ୱିଷ୍ଟ ଆସିଛି । କାରଣ ୮୦ବର୍ଷୀୟ କାନ୍ତା ପ୍ରସାଦ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଗୌରବଙ୍କ ବିରୋଧରେ ଠକେଇ, ଦୁର୍ବ୍ୟବହାର, ବିଶ୍ୱାସଘାତକତା ଏବଂ ଅପରାଧିକ ଷଡଯନ୍ତ୍ର ଭଳି ଅଭିଯୋଗ ଆଣିଛନ୍ତି । ଲୋକେ ଅନଲାଇନରେ ପଠାଇଥିବା ଟଙ୍କାକୁ ୟୁଟ୍ୟୁବର ଗୌରବ ୱାସନ ହଡପ କରିନେଇଥିବା ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରୁ ଟଙ୍କା ପାଇବା ପାଇଁ ଗୌରବ ତାଙ୍କର ଭିିଡିଓ ବନାଇଥିଲେ ଏବଂ ଏଥିରୁ ପାଇଥିବା ଟଙ୍କାରୁ ମାତ୍ର ୨ଲକ୍ଷ ଟଙ୍କା ତାଙ୍କୁ ଦେବା ପରେ ବାକିତକ ଟଙ୍କା ନିଜେ ହଡପ କରିନେଇଥିବା କାନ୍ତା ପ୍ରସାଦ କହିଛନ୍ତି ।

ବାବା କା ଢାବା ମାଲିକ କାନ୍ତା ପ୍ରସାଦ ଓ ତାଙ୍କ ପତ୍ନୀଙ୍କ ଅନୁମତି ବିନା ଆର୍ଥିକ ସହାୟତା ପାଇଁ ଗୌରବ ୱାସନ ନିଜ ଓ ନିଜ ପରିବାର ବର୍ଗଙ୍କ ସମେତ ସାଙ୍ଗସାଥିଙ୍କ ବ୍ୟାଙ୍କ ଆକାଉଂଟ ନମ୍ବର ଦେଇ ଟଙ୍କା ଆଣିଥିବା ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିବା ବେଳେ ପୂର୍ବରୁ ମଧ୍ୟ ବ୍ୟାଙ୍କ ଖାତାର ତଥ୍ୟ ଦେଖାଇବା ସହ ସ୍ପଷ୍ଟୀକରଣ ରଖିଛନ୍ତି ୟୁଟ୍ୟୁବର ଗୌରବ ୱାସନ ।

କିଛି ଦିନ ତଳେ କରୋନା ମହାମାରୀ ଯୋଗୁଁ ଢାବାରୁ ଠିକ୍ ଭାବେ ରୋଜଗାର ହେଉନଥିବା ନେଇ ଦୁଃଖ ପ୍ରକାଶ କରିଥିଲେ କାନ୍ତା ପ୍ରସାଦ ଓ ତାଙ୍କ ପତ୍ନୀ । ୟୁଟ୍ୟୁବର ଗୌରବ ୱାସନ ଏହାର ଭିଡିଓ ବନାଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥିଲେ ଯାହାପରେ ସାରା ଦେଶରୁ ସହାୟତା ଆସିଥିଲା । ଏବଂ ବାବା କା ଢାବାରେ ମଧ୍ୟ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା ।