ଦିଲ୍ଲୀ : ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

9,478

କନକ ବ୍ୟୁରୋ : କରୋନା କାଳରେ ଚର୍ଚ୍ଚାକୁ ଆସିଥିବା ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ରହୁଥିବା କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ସୂଚନା ମୁତାବକ ଏଭଳି ଘଟଣା ଗୁରୁବାର ରାତି ୧୦ ଟାରେ ଘଟିଛି । କାନ୍ତା ପ୍ରସାଦ ମଦ ସହିତ ନିଦ ବଟିକା ଖାଇ ଅତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାପରେ ତାଙ୍କୁ ରାତିରେ ଦିଲ୍ଲୀର ସଫଦରଜଂଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ସାମାନ୍ୟ ସୁସ୍ଥ ଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ଏନେଇ ମେଡିକାଲ ତରଫରୁ ପୋଲିସକୁ ସୂଚନା ଦିଆଯାଇଥିଲା ।

କହିରଖୁ କି କରୋନା କାଳରେ ଏକ ଢାବାକୁ ନେଇ କାନ୍ତା ପ୍ରସାଦ ବେସ୍ ଚର୍ଚ୍ଚାକୁ ଆସିଥିଲେ । ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସେ ସାରା ଦେଶରେ ବାବା କି ଢାବା ନାମରେ ପରିଚିତ ହୋଇଥିଲେ । ତାଙ୍କୁ ସହାୟତା ଯୋଗାଇ ଦେବାକୁ ଅନେକ ଲୋକ ହାତ ବଢାଇଥିଲେ । ଏହାପରେ ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା । ଏହାପରେ କାନ୍ତା ପ୍ରସାଦ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ । ମାତ୍ର ସେହି ରେଷ୍ଟୁରାଣ୍ଟଟି ୪ ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା । ଏହି କାରଣରୁ ସେ ପୁଣି ତାଙ୍କ ଢାବାକୁ ଫେରି ଆସିଥିଲେ । ଏହାକୁ ନେଇ ତାଙ୍କୁ ଦେଶ ଓ ଦୁନିଆରେ ପରିଚିତ କରାଇଥିବା ୟୁଟ୍ୟୁବର ଗୌରବ ବାସନ କହିଥିଲେ କି ‘କର୍ମ ଉପରେ ଏହି ଦୁନିଆରେ ଆଉ କିଛି ନାହିଁ’ ।

ସୂଚନା ଥାଉକି ପୂର୍ବ ବର୍ଷ ୟୁଟ୍ୟୁବର ଗୌରବ ବାସନ କାନ୍ତା ପ୍ରସାଦ ଓ ତାଙ୍କ ଢାବାର ଏକ ଭିଡିଓ ସୁଟିଂ କରି ସେୟାର କରିଥିଲେ । ଏଥିରେ କାନ୍ତା ପ୍ରସାଦ କାନ୍ଦି କାନ୍ଦି କହୁଥିଲେ କି ତାଙ୍କର ୨ ଟି ପୁଅ ଓ ଗୋଟିଏ ଝିଅ ଥିଲେ ବି କେହି ତାଙ୍କୁ ସାହାଯ୍ୟ କରୁ ନାହାନ୍ତି । ସେ ଓ ତାଙ୍କ ପତ୍ନୀ ଦିନ ସାରା ଢାବାରେ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତା ରାତି ବାବାଙ୍କର ଭାଗ୍ୟ ବଦଳି ଯାଇଥିଲା । ବହୁ ସଂଖ୍ୟାରେ ଲୋକ ତାଙ୍କୁ ସହାୟତାର ହାତ ବଢାଇଥିଲେ ।