କନକ ବ୍ୟୁରୋ: ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ପର୍ବ । ୧୨ ଦିନ ପର୍ଯ୍ୟନ୍ତ ଏହି ମେଳା ଚାଲିଥିବା ବେଳେ ଉଦଯାପନୀ ଦିନ ଚଡକ ପର୍ବ ଧୁମଧାମରେ ପାଳିତ ହୋଇଥାଏ । ବାଲେଶ୍ୱର ଚନ୍ଦନେଶ୍ୱର ଚଡ଼କ ମେଳାର ଶେଷ ଦିନଟି ପାଟ ପର୍ବ ନାଁରେ ଜଣାଶୁଣା । ଦୀର୍ଘ ୧୨ ଦିନ ଧରି ଶ୍ରଦ୍ଧାଳୁ ନିର୍ଜଳା ଉପବାସ ରହିବା ପରେ କରିଥିବା କଠିନ ବ୍ରତ ଭାଙ୍ଗିବାର ରହିଛି ପରମ୍ପରା । ଶେଷ ଦିନରେ ଅର୍ଘ୍ୟ ପାଇବାପରେ ପର୍ବ ସମାପନ ହୋଇଥାଏ । ଏହି ଶେଷ ଦିନରେ ଓଡ଼ିଶା ସମେତ ଦୂର ଦୂରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଚଡ଼କ ମେଳା ବା ପାଟ ପର୍ବର ଅନ୍ତିମ ଦିନରେ ଚନ୍ଦନେଶ୍ୱରଙ୍କ ଶେଷ ଅର୍ଘ୍ୟ ପାଇବା ପେରେ ସମସ୍ତ ବ୍ରତ ପୁର୍ଣ୍ଣର୍ର୍ ହୋଇଥାଏ । ଗୋଟିଏ ଓଳି ହବିଷ୍ୟାନ୍ନ ଗ୍ରହଣ କରି ନିଷ୍ଠାରେ ଥିବା ଶ୍ରଦ୍ଧାଳୁ ମାନେ ତାଙ୍କର ପୂଜା ଶେଷ କରିଥାନ୍ତି ।

ପାଟ ପର୍ବ ପୂର୍ବରୁ କାମନା ବିବାହରେ ସାମିଲ ହୋଇଥିଲେ ଶ୍ରଦ୍ଧାଳୁ । ପରସ୍ପରକୁ ମାଳ ପିନ୍ଧାଇ ଚନ୍ଦନ ବୋଳିଥାନ୍ତି । ଏହା ପରେ ପୋଖରୀରେ ସ୍ନାନ କରିବା ପରେ ଭକ୍ତ ମାନେ ଦେହରେ ଓ ନିଜ ଜିଭରେ କଂଟା ଫୋଡି କଠିନ ସାଧନା କରିଥାନ୍ତି । ଲମ୍ବା ଲୁହା କଂଟା ଧରି ନିଜ ଦେହ ଓ ଜିଭରେ ବିଦ୍ଧ କରି ଭକ୍ତ ମାନେ ଏହି ପାଟ ପର୍ବରେ ସାମିଲ ହୋଇଥାନ୍ତି । ବିରାଟ ପଟୁଆରରେ ପହଂଚିଲା ପରେ ଆରମ୍ଭ ହୋଇଥାଏ ଅର୍ଘ୍ୟ ସିଂଚନ । ଶେଷରେ ଧାରଣ କରିଥିବା ପଇତାକୁ ତାଳସାରୀ ମହୋଦଧିରେ ବିସର୍ଜନ କରି ନିଜ ନିଜ ଘରକୁ ଫେରିଥାନ୍ତି ବ୍ରତଧାରୀ ମାନେ । ଏହି ପର୍ବର ଶେଷ ଦିନରେ ଲକ୍ଷାଧିକ ବ୍ରତଧାରୀ ନିଜକୁ ଦଣ୍ଡ ଦେଇ କଠିନ ଉପାସନା ସାଧନ କରିଥାନ୍ତି । ଆଉ ଅର୍ଘ୍ୟ ପାଇବା ପରେ ନିଜ ବ୍ରତ ସମାପନ କରିଥାନ୍ତି ।