କନକ ବ୍ୟୁରୋ: ସାରା ଭାରତ ବର୍ଷରେ ଏମିତି ଏକ ସର୍ବ ଧର୍ମ ସମନ୍ୱୟର ଅନନ୍ୟ ପୀଠ ବାବା ବୁଖାରିଙ୍କ ପୀଠ । ଯେଉଁଠି ମନସ୍କାମନା ପୁର୍ଣ ପାଇଁ ଦେବାକୁ ପଡେ ଦରଖାସ୍ତ । ରାଜ୍ୟ ରାଜ୍ୟ ବାହାରୁ ବର୍ଷ ତମାମ ବାବାଙ୍କ ପାଖରେ ଲାଗିଥାଏ ଭିଡ଼ । କିଏ ଅସାଧ୍ୟ ରୋଗ ଦୂର ପାଇଁ ଆସିଥାଏ ତ ଆଉକିଏ ନିଜ ମାନସିକ ପୂରଣ ପାଇଁ । ଖୋର୍ଦ୍ଧା ଜିଲ୍ଲାର ଏମିତି ଏକ ସର୍ବଧର୍ମ ପୀଠ କାଇପଦରର ପୀର ବାବା (ବାବା ବୁଖାରି)ଙ୍କ ପୀଠ ।

Advertisment

ବାବା ବୁଖାରି ହେଉଛନ୍ତି ପ୍ରତକ୍ଷ ,ଯିଏ ଯେଉଁ ମାନସିକଧାରୀ ଏଠାକୁ ଆସନ୍ତି ତାଙ୍କ ମନସ୍କାମନା ନିଶ୍ଚିତ ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଆଉ ସେଇଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ସବୁ ସମ୍ପ୍ରଦାୟର ଲୋକ ଏଠାକୁ ଧାଇଁ ଆସିଥାନ୍ତି । ଲୋକକଥା ଅନୁସାରେ ମାନସିକ ଧାରୀ ମାନେ ନିଜ ମାନସିକ ସମ୍ପର୍କରେ ଏକ ଦରଖାସ୍ତ ଲେଖି ବାବାଙ୍କ ପାଖରେ ଦେବାକୁ ପଡିଥାଏ । ଯାହା ଅଳ୍ପଦିନରେ ପୂର୍ଣ ହୋଇଥାଏ । ସେହିପରି ଏଠାରେ ଅସାଧ୍ୟ ରୋଗୀ ମାନେ ବିଭିନ୍ନ ଅଞ୍ଚଳରୁ ଆସି ବାବାଙ୍କ ପାଖରେ ରହି ବାବାଙ୍କ ବିଭୁତି ଓ ମଂତୁରା ପାଣି ପିଇ ସୁସ୍ଥ ହୋଇ ଘରକୁ ଫେରୁଥିବାର ବିଶ୍ୱାସ ରହିଛି । ମାନସିକ ପୂର୍ଣ୍ଣ ହେଲେ ବାବାଙ୍କ ଠାରେ ଚାଦର ଚଢ଼େଇବାର ପ୍ରଥା ରହିଛି ।

କିମ୍ବଦନ୍ତୀ କୁହେ, ୭୦୦ରୁ ଅଧିକ ବର୍ଷ ତଳେ ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ଖୋର୍ଦ୍ଧାର କାଇପଦରକୁ ଆଫଗାନିସ୍ତାନ ବୁଖାରାରୁ ଆସିଥିଲେ ବାବା ବୁଖାରା । ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମଣିଷ ଜାତିର ସେବା କରି ଆସୁଥିଲେ ଓ କାଳକ୍ରମେ ଏହିଠାରେ ଧ୍ୟାନମଗ୍ନ ଅବସ୍ଥାରେ ସମାଧି ନେଇଥିଲେ । ସେବେଠାରୁ ଏହି ପୀଠ ପୀର ବାବା ପୀଠ ବା ବାବା ବୁଖାରି ପୀଠ ଭାବେ ପରିଚୟ ଲାଭ କରିଛି । ଏହି ପୀଠ ଆରମ୍ଭରୁ ବାବାଙ୍କ ପୂଜକ ମୁସଲମାନ ସମ୍ପ୍ରଦାୟର ଥିବା ବେଳେ ବାବା ହିନ୍ଦୁ ଧର୍ମର ଗୁଡିଆ ଜାତି ଦ୍ୱାରା ପ୍ରସ୍ତୁତ ଗୁଡ଼ କୋରା ଭୋଗ ଲାଗୁଥିବା ବେଳେ ମାଳି ସେବକଙ୍କ ଦ୍ୱାରା ପ୍ରଦତ୍ତ ଫୁଲ ଚନ୍ଦନ ଲଗାଇଥାନ୍ତି । ଯାହା ସର୍ବଧର୍ମ ସମନ୍ୱୟର ବାର୍ତା ଦେଇଥାଏ ।

ଏହି ସର୍ବ ଧର୍ମ ପୀଠ ବୁଖାରୀ ବାବାଙ୍କୁ ପାଖକୁ ସବୁ ଧର୍ମ ଲୋକ ଆସିଥାନ୍ତି ନିଜ ନିଜ ବିଶ୍ୱାସ ତଥା ଭକ୍ତି ଭାବରେ । ମୁସଲମାନ ତାଙ୍କ ଭାବ ଧାରାରେ ଡାକୁଥିବାବେଳେ ହିନ୍ଦୁ ଧର୍ମାନୁଲମ୍ବୀ ଆସି ମୁଣ୍ଡିଆ ମାରି ବାବାଙ୍କୁ ପ୍ରଣାମ କରିଥାନ୍ତି । ଯାହା ଏକ ଭାଇଚାରାର ବଡ଼ ବାର୍ତ୍ତା ଦେଇଥାଏ ।