ଗଜପତିଙ୍କୁ ନେଇ ବାବା ବଳିଆଙ୍କ ପ୍ରଶ୍ନ । କହିଲେ, ପାଲିଙ୍କିରେ ନଆସି ଗାଡିରେ ଆସିପାରିବେ ଠାକୁର ରାଜା

337

କନକ ବ୍ୟୁରୋ: ଗଜପତି, ଗଣତନ୍ତ୍ର ଓ ବାବା ବଳିଆ । ରଥରେ ଛେରା ପହଁରା ପାଇଁ ଗଜପତି ପାଲିଙ୍କିରେ ଆସିବା କଥା, ପ୍ରତିବର୍ଷ ରଥ ନିର୍ମାଣ ପାଇଁ ଗଛ କଟା ଏବଂ ପ୍ରତିବର୍ଷ ରଥକୁ ଭାଙ୍ଗି ପୁଣି ନିର୍ମାଣ କରିବା ପ୍ରସଙ୍ଗରେ ନିଜସ୍ୱ ମତ ରଖିଛନ୍ତି ବାବା ବଳିଆ ।

ସେ କହିଛନ୍ତି, ବର୍ତମାନ ସମୟ ବଦଳିଛି । ରାଜତନ୍ତ୍ର ବଦଳରେ ଆମେମାନେ ଗଣତନ୍ତ୍ର ରାଷ୍ଟ୍ରରେ ରହୁଛେ । ରାଜତନ୍ତ୍ର ସମୟରେ ସାଇକେଲ ଟିଏ ବି ନଥିଲା ତେଣୁ ରଥରେ ଛେରା ପହଁରା ପାଇଁ ସେତେବେଳେ ଗଜପତି ମହାରାଜ ହାତୀ, ଘୋଡା ଓ ପାଲିଙ୍କିରେ ଆସୁଥିଲେ । ହେଲେ ଏବେ ସମୟ ବଦଳିଛି । ସମାଜରେ ମୂଲ୍ୟବାନ ଗାଡି ରହିଛି । ତେଣୁ ଠାକୁର ରାଜା ଯଦି ସୁସଜିତ ଗାଡିରେ ଛେରା ପହଁରା ପାଇଁ ସସମ୍ମାନେ, ନିଜ ଇଚ୍ଛାରେ ଆସନ୍ତେ ଓ ଛେରା ପହଁରା କରନ୍ତେ, ଜଗନ୍ନାଥଙ୍କର ପ୍ରଥମ ସେବକ ରାଜାଙ୍କର ସମ୍ମାନ ଆହୁରି ବଢନ୍ତା ବୋଲି ବାବା ବଳିଆ କହିଛନ୍ତି ।

ସେହିିଭଳି ରଥ ନିର୍ମାଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ବିଶ୍ୱପ୍ରେମୀ ବାବା ବଳିଆ । ତାଙ୍କ ମତରେ ଦିନକୁ ଦିନ ଆମ ପରିବେଶ ନଷ୍ଟ ହେଉଛି । ଜଗନ୍ନାଥ ହେଉଛନ୍ତି ପରିବେଶର ଦେବତା । ଯେମିତି କଳ୍ପବଟ, ଦାରୁଦେହ, ଧୂମ ବିହିନ ଚୁଲା, ରୋହିଣୀ କୁଣ୍ଡ, ନରେନ୍ଦ୍ର, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ଚକ୍ରତୀର୍ଥ ପୁଷ୍କରଣୀ, ଏସବୁ ପରିବେଶର ନିଦର୍ଶନ । ତେଣୁ ପରିବେଶର ଦେବାତାଙ୍କ ପାଇଁ ଯଦି ପ୍ରତିବର୍ଷ ରଥ ନିର୍ମାଣ ନକରି ୨-୩ ବର୍ଷରେ ଥରେ ରଥ ନିର୍ମାଣ କରାଯାଆନ୍ତା ତେବେ କେମିତି ହୁଅନ୍ତା ବୋଲି ପଚାରିଛନ୍ତି ବାବା ବଳିଆ । ପ୍ରତିବର୍ଷ ଗଛ ନକାଟି, ରଥକୁ ସୁରକ୍ଷିତ ଭାବେ ରଖାଯାଆନ୍ତା, ରଥରେ ବ୍ୟବହାର ହେଉଥିବା ସବୁ ସାମଗ୍ରୀକୁ ସାଇତି ରଖି ମରାମତି କରାଯାଆନ୍ତା ତେବେ କେମିତି ହୁଅନ୍ତା । ଯେମିତି ରଥ ନିର୍ମାଣ କରାଯାଉଛି, ସେମିତି ରଥର ମରାମତି କରାଯାଇ ପାରନ୍ତା ବୋଲି ବାବା ବଳିଆ ମତ ରଖିଛନ୍ତି ।