ବାବା ବଳିଆଙ୍କ ମୁହଁରେ ପତିହରା ମାଆଙ୍କ ଦୁଃଖ । ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ଆଖ୍ୟା ଦେଇ ଦିଆଯାଉଛି ନିର୍ଯାତନା । ସତିଦାହ ପ୍ରଥା ଭଳି ଏହି କୁତ୍ସିତ ପ୍ରଥାକୁ ଉଚ୍ଛେଦ କରିବାକୁ ଦେଲେ ପରାମର୍ଶ ।

445

କନକ ବ୍ୟୁରୋ : ସମାଜରେ ବିଧବାମାନଙ୍କୁ ବିଭିନ୍ନ ସାମାଜିକ ବାସନ୍ଦର ଶିକାର ହେବାକୁ ପଡୁଛି । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରୁ ପତିହରା ମାଆମାନଙ୍କୁ ଦୂରେଇ ରଖାଯାଉଛି । ଯାହା ଦ୍ୱାରା ସେମାନେ ଏକ ପ୍ରକାର ମାନସିକ ନିର୍ଯାତନା ପାଉଛନ୍ତି । ଆଜିର ସମାଜରେ ଏପରି ଘୃଣ୍ୟ ପ୍ରଥାର ଉଚ୍ଛେଦ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଗକୁ ଆସିଛନ୍ତି ବାବା ବଳିଆ । ଜଗତସିଂହପୁର ଜିଲ୍ଲା ଶିଶୁ ଅନନ୍ତ ଆଶ୍ରମର ମଠାଧିଶ ବାବା ବଳିଆ କହିଛନ୍ତି ପତିହରା ବା ବିଧବା ମହିଳାମାନଙ୍କୁ ସମାଜ ମୁଖ୍ୟସ୍ରୋତରେ ସାମିଲ କରିବା ଜରୁରୀ ।

ବାବା ବଳିଆଙ୍କ ମୁହଁରେ ବିଧବାଙ୍କ ଦୁଃଖ । ‘ସମାଜରେ ବିଧବା ମହିଳାଙ୍କୁ ଦିଆଯାଉଛି ନିର୍ଯ୍ୟାତନା’ । ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମାଆ ଭୋଗୁଛି ଦୁର୍ଦ୍ଦଶା । ସମାଜରେ ତାଙ୍କୁ ବିଧବାର ଆଖ୍ୟା ଦିଆଯାଉଛି । ବିବାହ-ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟରୁ ବାଦ ଦିଆଯାଉଛି । ଅନେକ ସମୟରେ ନିଜ ପୁଅ-ଝିଅଙ୍କ ବିବାହ ଉତ୍ସବରେ ମଧ୍ୟ ସାମିଲ ହୋଇନଥାନ୍ତି ଏମାନେ । ଏହାଦ୍ୱାରା ସେମାନେ ସମାଜରେ ବାସନ୍ଦ ପରି ରହିବା ସହ ସାରା ଜୀବନ ମାନସିକ ଯନ୍ତ୍ରଣା ଭୋଗିଥାନ୍ତି । ଏହି ବିଧବା ଆଖ୍ୟା ସତୀଦାହ ଭଳି ଏକ କୁତ୍ସିତ ପ୍ରଥା ଓ ଅନ୍ଧବିଶ୍ୱାସ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲା ଶିଶୁ ଅନନ୍ତ ଆଶ୍ରମର ମଠାଧିଶ ବାବା ବଳିଆ । ଏହାକୁ ମଧ୍ୟ ସମାଜରୁ ଦୂର କରିବା ଆବଶ୍ୟକ ବୋଲି କହିଛନ୍ତି ବାବା ବଳିଆ ।

‘ପତିହରା ମାଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉ’ । ‘ସାରା ଦେଶରେ ସଚେତନତା ସୃଷ୍ଟି କରିବାକୁ ବାବା ବଳିଆଙ୍କ ପରାମର୍ଶ’ । ପତିହରା ମାଆମାନଙ୍କୁ ମାଙ୍ଗଳିକ କାର୍ଯ୍ୟରେ ସାମିଲ କରିବା ପାଇଁ ଉଦ୍ୟମ କରୁଛି ଶିଶୁ ଅନନ୍ତ ଆଶ୍ରମ । ଏଥିପାଇଁ ଆଶ୍ରମ ପରିସରରେ ପତିହରା ମାତୃ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହାସହ ଏହି କୁତ୍ସିତ ବିଧବା ପ୍ରଥାର ଉଛେଦ ପାଇଁ ରାଜ୍ୟ ତଥା ଦେଶରେ ସଚେତନତା ଅଭିଯାନ କରାଯିବ ବୋଲି କହିଛନ୍ତି ବାବା ବଳିଆ । ନିଶା ଦ୍ରବ୍ୟ ମଣିଷର ଚିର ଶତ୍ରୁ ତେଣୁ ମଦ ଛାଡି ଦେଶ ଗଢିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ସମ୍ମିଳନୀରେ ବିଭିନ୍ନ ଅଂଚଳରୁ ଆସିଥିବା ପତିହରା ମାଆମାନେ ଯୋଗ ଦେଇଥିବା ବେଳେ ସେମାନେ ମଧ୍ୟ ବାବା ବଳିଆଙ୍କ ପରାମର୍ଶକୁ ସମର୍ଥନ କରିଛନ୍ତି । ବାବା ବଳିଆଙ୍କର ଏହି ସମାଜ ସଂସ୍କାର ମୂଳକ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ।