କନକ ବ୍ୟୁରୋ : ରାଜସ୍ଥାନର ଅଲୱର ଲୋକସଭା ଆସନରୁ ସାଂସଦ ଥିବା ବାବା ବାଲକନାଥ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଲୋକସଭାର ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ତରଫରୁ ରାଜସ୍ଥ୍ାନ ବିଧାନସଭା ନିର୍ବାଚନରେ ବାବା ବାଲକନାଥଙ୍କୁ ତିଜାରା ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା । ସେ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ଖାନଙ୍କୁ ପରାଜିତ କରିଥିଲେ । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ତାଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହେଉଛି । ଏହାପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଧାୟକ ଭାବେ ଲଢି ବିଜୟୀ ହୋଇଥିବା ବିଜେପି ସାଂସଦମାନେ ଗତକାଲି ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

Advertisment

ମହନ୍ତ ବାଲକନାଥ ଯୋଗୀ ବାବା ମସ୍ତନାଥ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ସେ ହିନ୍ଦୁ ଧର୍ମର ନାଥ ସଂପ୍ରଦାୟରୁ ୮ମ ମହନ୍ତ ଅଛନ୍ତି । ୨୦୧୬ ଜୁଲାଇ ୨୯ ତାରିଖରେ ମହନ୍ତ ଚାନ୍ଦନାଥ ଏକ ସମାରୋହରେ ବାଲକନାଥ ଯୋଗୀଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ଯେଉଁ ସମାରୋହରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବାବା ରାମଦେବ ମଧ୍ୟ ସାମିଲ ହୋଇଥିଲେ । ବାବା ବାଲକନାଥଙ୍କ ଜନ୍ମ ବହରୋଡ ତହସିଲ କୋହରାନା ଗାଁରେ ଏକ ଯଦୁବଂଶୀ ହିନ୍ଦୁ ପରିବାରରେ ହୋଇଥିଲା । ସେ ୬ ବର୍ଷ ବୟସରେ ସନ୍ୟାସ ନେଇ ଘର ଛାଡିଥିଲେ  ।

ବାବା ବାଲକନାଥ ପ୍ରଥମଥର ପାଇଁ ୨୦୨୯ରେ ବିଜେପି ଟିକେଟରୁ ଅଲବର ଆସନରୁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭଂବର ଜିତେନ୍ଦ୍ର ସିଂଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଥିଲେ ।