ବି-ଟେକ୍ ପଢୁଆ ଯୁବକଙ୍କ ହାଇଟେକ୍ ଚାଷ। ବାର୍ଷିକ ରୋଜଗାର କରୁଛନ୍ତି ୭ରୁ ୮ ଲକ୍ଷ ଟଙ୍କା।

235

କନକ ବ୍ୟୁରୋ: ମାଲକାନଗିରି କାଲିମେଳା ବ୍ଲକ ଏମଭି-୭୯ ଗାଁର ସଂଗ୍ରାମ କେଶରୀ ମଲିକ । ଅଟୋମୋବାଇଲରେ ଡିପ୍ଲୋମା କରି ୨୦୦୭ ମସିହାରେ ମହାରାଷ୍ଟ୍ରର ପୁନେରେ ଏକ କମ୍ପାନୀରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ଭାବରେ ଚାକିରୀ କରୁଥିଲେ । ଭଲ ଦି ପଇସା ରୋଜଗାର ବି କରୁଥିଲେ । ହେଲେ ସବୁକିଛି ବିଗାଡ଼ି ଦେଲା କରୋନା ମାହାମାରୀ । ୨୦୨୦-୨୧ରେ କରୋନା ମହାମାରୀ ଯୋଗୁଁ କମ୍ପାନୀ ବନ୍ଦ ହୋଇଯିବାରୁ ସଂଗ୍ରାମ ନିଜ ଘରକୁ ଫେରିଆସିଥିଲେ । ଏହାପରେ ୟୂଟ୍ୟୁବରୁ ଜୈବକି ପଦ୍ଧତିରେ ମାଛ ଚାଷ କରିବାପାଇଁ ମନସ୍ତ କରିଥିଲେ ।

କାଲିମେଳାରେ ଥିବା ମତ୍ସ୍ୟବିଭାଗ ସହିତ ଯୋଗାଯୋଗ କରି ଆର୍ଥିକ ଓ ବୈଷୟିକ ସହାୟତା ପାଇବା ପରେ ଏହି କାମରେ ଆଗକୁ ବଢିଥିଲେ । ଏଥି ପାଇଁ ତାଙ୍କ ମା କଲ୍ୟାଣୀ ମଲିକଙ୍କ ନାମରେ ୪ଲକ୍ଷ ଟଙ୍କାର ଋଣ ଆଣିଥିଲେ ସଂଗ୍ରାମ । ଏଥିରୁ ତାଙ୍କୁ ୬୦ ପ୍ରତିଶତ ରିହାତି ମିଳିଥିଲା । ଋଣ ଅର୍ଥରେ ଜୈବପୁଂଜ ପଦ୍ଧତିରେ ସଘନ ମାଛ ଚାଷ ଆରମ୍ଭ କରିଥିଲେ ସଂଗ୍ରାମ । ଏଥିପାଇଁ ସେ ୬ ଗୋଟି ତାରପୋଲିନରେ କୁଣ୍ଡ ତିଆରି କରି ମାଛ ଚାଷ କରୁଛନ୍ତି । ଗୋଟିଏ ଗୋଟିଏ କୁଣ୍ଡର ପାଣି ଧାରଣ କ୍ଷମତା ପ୍ରାୟ ୧୫ ହଜାର ଲିଟର ହୋଇଥିବାବେଳେ ସେଥିରେ ସେ ପ୍ରଥମେ ତେଲାପିଆ ଓ ରୂପଚାନ୍ଦ ମାଛ ଜାଆଁଳ କିଣି ମାଛ ଚାଷ କରିଛନ୍ତିା

ମାଲକାନଗିରି ଜିଲ୍ଲାରେ ମାଛର ଚାହିଦା ବେଶି ରହିଥିବାବେଳେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଦୈନିକ ଶହଶହ କୁଇଣ୍ଟାଲ ମାଛ ଜିଲ୍ଲାକୁ ଆସୁଛି । ଏହିପରି ମାଛ ଚାଷ କାଲିମେଳା ବ୍ଲକରେ ପ୍ରଥମ ଥର କରି କରାଯାଇଥିବାବେଳେ ଏହା ଜିଲ୍ଲାରେ ଆବଶ୍ୟକ ହେଉଥିବା ମାଛର ଚାହିଦାକୁ କିଛି ମାତ୍ରାରେ ପୂରଣ କରିପାରୁଛି । କେବଳ ମାଛ ଚାଷ ନୁହେଁ ସେ ମାଛ ଚାଷ ସହିତ ବାଡ଼ିରେ କଦଳୀ ଚାଷ ବି କରିଛନ୍ତି ସଂଗ୍ରାମ । ଯାହାଦ୍ୱାରା ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।