କନକ ବ୍ୟୁରୋ : ବର୍ତମାନ ସମୟରେ ଚାଷବାସ ଅପେକ୍ଷା ବାହାର ରାଜ୍ୟରେ ଦାଦନ ଖଟିବାକୁ ଉଚିତ ମନେକରୁଛନ୍ତି ଯୁବବର୍ଗ । ଚାଷକାମକୁ କଷ୍ଟକର ଭାବି ଜମିରୁ ମନ ଫେରାଇ ନେଉଛନ୍ତି । ଏଭଳି ସ୍ଥିତିରେ ନିଜର ଉଚ୍ଚଶିକ୍ଷାକୁ ପଛରେ ପକାଇ ଚାଷକୁ ଆଦରି ନେଇଛନ୍ତି ଜଣେ ଯୁବ ଇଂଜିନିୟର । ଇଂଟିଗ୍ରେଟେଡ ଫାର୍ମିଂ ଜରିଆରେ ନିଜର କୌଳିକ ବୃତିକୁ ଆପଣାଇ ଗର୍ବରେ କୁହନ୍ତିି ହଁ ମୁଁ ଜଣେ ଚଷା । ନିଜ ଗାଁରେ ଥିବା ୧୦ ଏକର ଜମିରେ ସେ ବହୁମୁଖୀ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Advertisment

ଆମ୍ବ, ସପେଟା, ପିଜୁଳି, କଦଳୀ, ଲେମ୍ବୁ, ଅଁଳା, ଲିଚୁ ଇତ୍ୟାଦି ଫଳ ଗଛ ସହିତ ଦେଢ ଏକର ଜମିରେ ରହିଛି ମୂଲ୍ୟବାନ ଶାଗୁଆନ ଗଛ । ଅନ୍ୟପଟେ ୪ ଟି ପୋଖରୀରେ ମାଛ ଚାଷ ସହ ମାଛ ଜାଅାଁଳ ଉତ୍ପାଦନ କରି ସ୍ଥାନୀୟ ଚାଷୀଙ୍କ ଆବଶ୍ୟକତା ପୁରଣ କରୁଛନ୍ତି ଯୁବଚାଷୀ ଶ୍ରୀତମ । ଏହା ସହ ମହୁ ଚାଷ କରି ସେ ମହୁ ଉତ୍ପାଦନ କରୁଛନ୍ତି । ୨ଟି ବଡ କୁକୁଡା ଫାର୍ମ କରି ଏହାକୁ ସ୍ଥାନୀୟ ବଜାର ସହ ଅନ୍ୟ ଅଂଚଳକୁ ବିକ୍ରି ପାଇଁ ପଠାଉଛନ୍ତି । ଏହି ଫାର୍ମରୁ ଥରକେ ୩୦ ହଜାର କୁକୁଡା ଉତ୍ପାଦନ କରାଯାଇପାରୁଛି ।

ପ୍ରଥମେ ଶ୍ରୀତମଙ୍କ ବାପା ପ୍ରଦୀପ ସାହୁ ପରିବେଶ ସୁରକ୍ଷା ସହ ବୃକ୍ଷରୋପଣ କରୁଥିଲେ । ବୃକ୍ଷରୋପଣ ପାଇଁ ୨୦୧୬ ମସିହାରେ ତାଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସମୟକ୍ରମେ ଶ୍ରୀତମ ଏହି କାମକୁ ଆପଣାଇଥିଲେ ।