କନକ ବ୍ୟୁରୋ: ବିଏସସି ଗ୍ରାଜୁଏଟ୍ ଚା’ବାଲା ସୁନିଲ କନ୍ଦପାଣି । ତାଙ୍କୁ ସମସ୍ତେ ବିଏସସି ଗ୍ରାଜୁଏଟ୍ ଚାଏବାଲା ବୋଲି ଜାଣନ୍ତି । ଦୁଇ ବର୍ଷ ହେବ ରାୟଗଡାର ଭିୟ୍ୟୁ ପଏଣ୍ଟରେ ଚା’ ଦୋକାନ କରିଛନ୍ତି । ହେଲେ ପ୍ରେମ ଦିବସ ଦିନ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭାଲେଣ୍ଟାଇନ୍ସ ବା ପ୍ରେମ ଦିବସ ଦିନ ସେ ମାଗଣାରେ ବିଫଳ ପ୍ରେମିକମାନଙ୍କୁ ଚା’ ଏବଂ କଫି ବାଣ୍ଟିଛନ୍ତି । ଏହାସହ ଆନିଭର୍ସରୀ ପାଳନ କରୁଥିବା ପ୍ରେମୀଯୁଗଳଙ୍କୁ ଚା’ ଓ କଫି ବାଣ୍ଟିଛନ୍ତି । ଏନେଇ ସେ କହିଛନ୍ତି ପ୍ରେମରେ ବିଫଳ ହୋଇଥିବା ପ୍ରେମିକମାନେ ଆଜିର ଦିନରେ ନିଜ ଦୁଃଖକୁ ଭୁଲିବା ପାଇଁ ମଦ ପିଇଥାନ୍ତି । ମଦ ପିଇବା ଦ୍ୱାରା ନିଜେ ନିଶାସକ୍ତ ହବା ସହ ନିଜ ପରିବାରକୁ ଦୁଃଖ ଦେଇଥାନ୍ତି । ତେଣୁ ସେଇ ମାନଙ୍କୁ ସେ ମଦ ଆଡକୁ ନନେଇ ମାଗଣାରେ ଚାହା ଓ କଫି ପିଇବାକୁ ଦେଇଥାଆନ୍ତି । ତାଙ୍କ ମୁଁହରେ ହସ ଦେଖିବାକୁ ସେ ଚାହିଁଥାଆନ୍ତି ।

Advertisment

ରୟତ କଲୋନିରେ ନିଜ ପରିବାର ସହ ରହନ୍ତି ସୁନିଲ । ବଟାନି ଅନର୍ସରେ ବିଏସସି ପାସ୍ କରିଛନ୍ତି । ବର୍ତମାନ ଫାର୍ମାସିରେ ଟ୍ରେନିଂ ମଧ୍ୟ ନେଉଛନ୍ତି । ବାପା ଜଣେ ଚାଷୀ ହୋଇଥିବା ବେଳେ ମାଆ ପରିବା ବିକି ପୁଅ ସହିତ ଦୁଇ ଝିଅଙ୍କୁ ବହୁ କଷ୍ଟରେ ପାଠ ପଢାଉଛନ୍ତି । ମାଆଙ୍କର କଷ୍ଟ ସହିନପାରି ପୁଅ ସୁନିଲ ମାତ୍ର ୨୭ ହଜାର ଟଙ୍କା ଧରି ୨୦୨୦ ମସିହା ଅକ୍ଟୋବର ମାସରେ ଆରମ୍ଭ କରିଥିଲେ ଏକ ଛୋଟିଆ ଚାହା ଦୋକାନ । ଚାହା ବିକି ଦୈନିକ ୫୦୦ ଟଙ୍କା ପାଆନ୍ତି । ସେଥିରେ ଦୁଇ ଭଉଣୀଙ୍କୁ ପାଠ ପଢାଇବା ସହିତ ନିଜ ଖର୍ଚ୍ଚ ତୁଲାଇଥାନ୍ତି ।