ବାଟଲା ହାଉସ ଏନକାଉଣ୍ଟର: ଅଭିଯୁକ୍ତ ଅରିଜ ଖାନକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀ ସାକେତ କୋର୍ଟ

251

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବାଟଲା ହାଉସ ଏନକାଉଣ୍ଟରକୁ ନେଇ ଦିଲ୍ଲୀର ସାକେତ କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। କୋର୍ଟ ଭାରତୀୟ ମୁଜାହିଦ୍ଦିନ ଆତଙ୍କବାଦୀ ଅରିଜ ଖାନଙ୍କୁ ମାର୍ଚ୍ଚ ୮ରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଅରିଜର ଦଣ୍ଡ ଘୋଷଣା କରାଯାଇଛି। ବଟଲା ହାଉସ ଏନକାଉଣ୍ଟର ମାମଲାରେ ସାକେତ କୋର୍ଟ ଅରିଜକୁ ଫାଶୀ ଦଣ୍ଡ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୮ରେ ଦିଲ୍ଲୀରେ ବାଟଲା ହାଉସରେ ହୋଇଥିବା ଏନକାଉଣ୍ଟର ପରେ ଅରିଜ ଖାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା, ହେଲେ ୨୦୧୮ମସିହାରେ ନେପାଳରୁ ତାକୁ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଗିରଫ କରିଥିଲା। ୨୦୦୮ରେ ହୋଇଥିବା ଏନକାଉଣ୍ଟର ସମୟରେ ଇନସ୍ପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କର ମୃତ୍ୟୁ ହୋଇଥିଲା। ଜାମିଆ ନଗରରେ ହୋଇଥିବା ଏନକାଉଣ୍ଟର ସମୟରେ ଅରିଜ ଖାନ ଅନ୍ୟ ଚାରିଜଣଙ୍କ ସହ ବାଟଲା ହାଉସରେ ଉପସ୍ଥିତ ଥିବା ଦିଲ୍ଲୀ ପୁଲିସ ଦାବି କରିଥିଲା।

ହେଲେ ଏନକାଉଣ୍ଟର ସମୟରେ ଅରିଜ ଖାନ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ପରେ ତାକୁ ଗିରଫ କରିବା ପାଇଁ ଏନଆଇଏ ୧୦ଲକ୍ଷ ଟଙ୍କା ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଷଡ଼ଯନ୍ତ୍ର, ଆତଙ୍କବାଦୀ ନିଯୁକ୍ତି, ରାଜ୍ୟ ବିରୋଧରେ ଯୁଦ୍ଧ କରିବା ଏବଂ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରିବା ନେଇ ଏନଆଇଏ ଅରିଜ ଖାନ ବିରୋଧରେ ଏତଲା ଲେଖିବା ସହ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ୨୦୧‌୮ରେ ତାକୁ ଗିରଫ କରିଥିଲା।