କାହା ଯୋଜନା ଭଲ ? ଆୟୁଷ୍ମାନ ଯୋଜନା ନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

353

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ପାଇଁ ପୁଣିଥରେ ବିଜେପି-ବିଜେଡି ନେତା ସଭା ମଞ୍ଚରେ ମୁହାଁମୁହିଁ ହୋଇଛନ୍ତି । ଶଦ୍ଦବାଣରେ ଉଭୟ ଉଭୟଙ୍କୁ ଆକ୍ରମଣ କରିଛନ୍ତି। ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଶଦ୍ଦବାଣରେ ଘେରିବା ସହ ଆୟୁଷ୍ମାନ ଯୋଜନା ଇନ୍‌ସ୍ୟୁରାନ୍ସ ହୋଇଥିବାବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆସ୍ୟୁରାନ୍ସ ବୋଲି ତାତ୍ସଲ୍ୟ କରି କହିଛନ୍ତି । ସିଧାସଳଖ କହିଛନ୍ତି, ଅନ୍ୟ ରାଜ୍ୟରେ ବିରୋଧୀ ଦଳର ବିଧାୟକମାନେ ମାଡ଼ ଖାଉଛନ୍ତି । କିନ୍ତୁ ଓଡ଼ିଶାରେ ବିରୋଧୀ ଦଳର ବିଧାୟକଙ୍କୁ ଆମ ସରକାର ଯଥେଷ୍ଟ ସମ୍ମାନ ଦେଉଛନ୍ତି ବୋଲି କହିଛନ୍ତି ।

ବକ୍ତବ୍ୟ ବେଳେ ବିଜେପି ବିଧାୟକ ଶ୍ରୀ ମହାପାତ୍ର ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ରଖିଥିଲେ। ଯଦ୍ବାରା ଗରିବ ଲୋକେ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ବି ଚିକିତ୍ସା ସେବା ପାଇପାରିବେ ବୋଲି କହିଥିଲେ। ଯେଉଁଥିରେ ତାତି ଯାଇଥିଲେ ବିଜେଡି ନେତା। ପ୍ରଥମରୁ ଶଦ୍ଦବାଣରେ ଆକ୍ରମଣ କରିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର। ସେ ସିଧାସଳଖ କହିଥିଲେ, ଆୟୁଷ୍ମାନ ଯୋଜନା ଇନ୍‌ସ୍ୟୁରାନ୍ସ(ବୀମା)ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆସ୍ୟୁରାନ୍ସ (ପ୍ରତିଶ୍ରୁତି)ବୋଲି ଯୁକ୍ତି ବାଢ଼ିଥିଲେ । ଏଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ଯେଭଳି ସବୁ ଲୋକ ଉପକୃତ ହେବେ, ସେ ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି ସେ କହିଥିଲେ। ଅନ୍ୟ ରାଜ୍ୟରେ ବିରୋଧୀ ଦଳ ବିଧାୟକମାନେ ମାଡ଼ ଖାଉଛନ୍ତି । କିନ୍ତୁ ଓଡ଼ିଶାରେ ବିରୋଧୀ ଦଳ ବିଧାୟକଙ୍କୁ ଯଥେଷ୍ଟ ସମ୍ମାନ ମିଳେ ।

ଶାସକ ଦଳର ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଯନ୍ତ୍ରୀ, ଅଧିକାରୀ, ସମସ୍ତେ ସମ୍ମାନ ଜଣାନ୍ତି । କୋଷ୍ଟାଲ୍‌ ହାଇୱେ ସାମୁହିକ ସମସ୍ୟା । ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବା ଦରକାର ବୋଲି ସାଂସଦ ଶ୍ରୀ ମିଶ୍ର କହିଥିଲେ । ମନ୍ତ୍ରୀ ସମୀର ରଂଜନ ଦାଶ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବି ଆୟୁଷ୍ମାନ ଯୋଜନାକୁ ନେଇ ବିଧାୟକ ଶ୍ରୀ ମହାପାତ୍ରଙ୍କୁ ଭାଷଣରେ ଆକ୍ରମଣ କରିବାର ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଶ୍ରୀ ସ୍ବାଇଁ ଆୟୁଷ୍ମାନ ଯୋଜନା ଇଣ୍ଡୋର ରୋଗୀଙ୍କ ପାଇଁ, କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଉଟ୍‌ଡୋର ରୋଗୀଙ୍କ ପାଇଁ ବୋଲି କହିଥିଲେ । ଆୟୁଷ୍ମାନ ଯୋଜନାରେ ରାଜ୍ୟର ୫୦ ପ୍ରତିଶତ ଲୋକ ଉପକୃତ ହୋଇପାରିବେ । କିନ୍ତୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଶହେରୁ ୮୬ଜଣ ଲୋକ ଉପକୃତ ହୋଇପାରିବେ ବୋଲି ଯୁକ୍ତି ବାଢ଼ିଥିଲେ ।