କନକ ବ୍ୟୁରୋ: ଓଡିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏନେଇ ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ଅଭିଭାଷଣରେ ସୂଚନା ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ତାଙ୍କ କହିବା ମୁତାବକ, ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁରକ୍ଷା ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଯାହାକି ସମସ୍ତ ଯୋଗ୍ୟ ଓଡିଶାବାସୀଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟବୀମା ପ୍ରଦାନ କରିିବ ବୋଲି ରାଜ୍ୟପାଳ କହିଛନ୍ତି ।

Advertisment

ଅନ୍ୟପଟେ ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତ କରାଯିବ । ଏଥିସହ ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନାମ ପରିବର୍ତ୍ତନ କରି ଏହାକୁ ଆରୋଗ୍ୟ ମନ୍ଦିର କୁହାଯିବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି । ଏହାସହ ୨୦୩୦ ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ କରାଯିବ ବୋଲି ସେ କହିଛନ୍ତି । ସେହିପରି ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ ନୂଆପଡାରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ । ଭାରତ ବର୍ଷରେ ଓଡିଶା ବାଜରାର ହବ୍ ହେବ ବୋଲି ରାଜ୍ୟପାଳ କହିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ ଓ ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଙ୍ଗନାବାଡିକୁ ମଧ୍ୟ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ । ଏଥିସହ ସରକାରୀ ବିଦ୍ୟାଳୟରେ ‘ଏଆଇ’ର ବ୍ୟବହାର କରାଯିବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଧାମରା, ପାରାଦୀପ, ଗୋପାଳପୁର ବନ୍ଦରର ଆଖପାଖ ଅଞ୍ଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ । ଓଡିଆ ଚଳଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି । ଏଥିସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ । ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ, ଯୁବତୀଙ୍କୁ ନିଯୁକ୍ତ କରାଯିବ ବୋଲି ରାଜ୍ୟପାଳ ନିଜର ଅଭିଭାଷଣରେ କହିଛନ୍ତି ।