ଗରିବ ହିତାଧିକାରୀଙ୍କ ପାଇଁ ମୋଦି ଆଣିଲେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ । ଗୋଟିଏ କାର୍ଡରେ ରହିବ ହିତାଧିକାରୀଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ।

335

କନକ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆୟୁଷ୍ମାନ ଭାରତର ଡିଜିଟାଲ ମିଶନର ଶୁଭାରମ୍ଭ କରାଯାଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଆୟୁଷ୍ମାନ ଭାରତର ଡିଜିଟାଲ ମିଶନ ବିଷୟରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବଡ ନିଷ୍ପତି । ଯାହାର ଫାଇଦା ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଉଠାଇପାରିବେ ।

ଆୟୂଷ୍ମାନ ଭାରତର ଡିଜିଟାଲ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆୟୁଷ୍ମାନ ଭାରତର ଡିଜିଟାଲ ମିଶନରେ ପ୍ରତ୍ୟେକ ଲୋକ ଏକ ୟୁନିକ ଆଇଡି କାର୍ଡ ପାଇବେ । ଯେଉଁଥିରେ ଜଣେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ଉଲ୍ଲେଖ ରହିବ । ଏହି କାର୍ଡରେ ଥିବା ତଥ୍ୟ ଗୋପନୀୟତା ଆଧାରରେ ସୁରକ୍ଷିତ ରହିବ । ଏହି ଯୋଜନା ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ଲାଭ ପାଇବେ । ମୁଖ୍ୟତଃ ଦେଶର ଗରିବ ଏବଂ ମଧ୍ୟବିତ ପରିବାର ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି ମୋଦୀ କହିଛନ୍ତି ।

ଗତତର୍ଷ ସ୍ୱାଧୀନତା ଦିବସ ଅବସରରେ ମୋଦୀ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ବାବଦରେ ଘୋଷଣା କରିଥିଲେ । ପ୍ରାଥମିକ ଭାବରେ ଦେଶର ୬ଟି କେନ୍ଦ୍ର ଶାସିତ ଅଂଚଳରେ ପରୀକ୍ଷାମୂଳକ ଭାବରେ ଏହା ଆରମ୍ଭ ହୋଇଥିଲା । ଲୋକେ ଏହାକୁ ଅତି ସହଜରେ ଏହାର ଲାଭ ଉଠାଇ ପାରିବେ ।

– ଆୟୂଷ୍ମାନ ଭାରତ ଡିଜିଟାଲ ମିଶନ ଜରିଆରେ ପ୍ରତ୍ୟେକ ଲୋକଙ୍କର ଏକ ସ୍ୱାସ୍ଥ୍ୟ କାର୍ଡ ତିଆରି ହେବ
– ଆଇଡି କାର୍ଡରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ରହିବ
– ହସ୍ପିଟାଲ କିମ୍ବା ଡାକ୍ତରଙ୍କ ପାଖକୁ ଯିବା ବେଳେ ପୁରୁଣା ପ୍ରେସକ୍ରିପସନ ନଥିଲେ କୌଣସି ଅସୁବିଧା ହେବ ନାହିଁ
– ହିତାଧିକାରୀଙ୍କ ବିନା ଅନୁମତିରେ ସ୍ୱାସ୍ଥ୍ୟ ରେକର୍ଡର ଆଦାନ ପ୍ରଦାନ ହୋଇପାରିବନି
– ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ଗୋପନୀୟତା ଆଧାରରେ ସୁରକ୍ଷିତ ରହିବ
– ଆଧୁନିକ ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀର ସ୍ୱାସ୍ଥ୍ୟ ରେକର୍ଡ ରହିବ
– ହେଲ୍ଥକେୟାର ପ୍ରୋଫେସନାଲ ରେଜିଷ୍ଟ୍ରି ଏବଂ ହେଲଥକେୟାର ଫେସିଲିଟିଜ ରେଜିଷ୍ଟ୍ରିଜ୍ ରେକର୍ଡ ରଖିବେ
– ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ବେଳେ ହସ୍ପିଟାଲ ଏବଂ ଡାକ୍ତରଙ୍କୁ ଚିକିତ୍ସା କରିବା ସହଜ ହେବ
– ଆଇଡି କାର୍ଡରେ ୧୪ ଅଂକ ବିଶିଷ୍ଟ ଏକ ନମ୍ବର ରହିଛି
– ହେଲଥ ଆକାଉଣ୍ଟ ଭଳି ଏହା କାମ କରିବ
– ମୋବାଇଲ ଆପ୍ଲିକେସନ ଜରିଆରେ ଆବଶ୍ୟକ ତଥ୍ୟ ପ୍ରଦାନ କରିହେବ
– ମୋବାଇଲ ଫୋନ୍ ଜରିଆରେ ଏହି ଆଇଡି କାର୍ଡ ତିଆରି କରିହେବ

ଯେଉଁଠି ସିଧାସଳଖ ହିତାଧିକାରୀ ଉପକୃତ ହୁଅନ୍ତି ସେଠାରେ ଆଧାର କାର୍ଡର ଆବଶ୍ୟକ ରହିଛି । ତେଣୁ ଏହି କାର୍ଡ ତିଆରି ବେଳେ କେବଳ ମୋବାଇଲ ନମ୍ବର ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।