କନକ ବ୍ୟୁରୋ: ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଆୟୁଷ ଡାକ୍ତର । କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି ଆୟୁଷ ଡାକ୍ତର । ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ରାଜ୍ୟରେ ନିଯୁକ୍ତ ହୋଇ ନାହାଁନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଆୟୁଷ ଡାକ୍ତର ।

Kanak News is now on WhatsApp
Join and get latest news updates delivered to you via WhatsApp
- ଆୟୁଷ ଡାକ୍ତରଙ୍କ ପାଇଁ ଚାକିରି ନାହିଁ
- ଲୋୟର ପିଏମଜିରେ କଲେ ଗର୍ଜନ
ସରକାରଙ୍କ କାନରେ ସେମାନଙ୍କ କଥା ପହଞ୍ଚାଇବା ପାଇଁ ରାଜ୍ୟର ବିଭିନ୍ନ ଭାଗରୁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆୟୁଷ ଡାକ୍ତର । କିଛିଦିନ ତଳେ କଳା ବ୍ୟାଚ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବେ ପୁଣି ବିଧାନସଭା ଚାଲିଥିବାବେଳେ ନିଜ ହକ୍ ପାଇଁ ଭୁବନେଶ୍ୱରରେ ଗର୍ଜିଛନ୍ତି ।
ଆୟୁଷ ଡାକ୍ତରଙ୍କ ଅଭିଯୋଗ
- ୨୧ ବର୍ଷ ହେଲା ଜଣେ ବି ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ମିଳିନାହିଁ
- ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତେ୍ୱ ଶୁଣୁନଥିବା ଅଭିଯୋଗ
- ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେବା କଥା
- ସେହିପରି ୮୦୦ ଆୟୁଷ ହସ୍ପିଟାଲ ଖୋଲାଯିବା କଥା
- ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ମିଳୁ
ଆୟୁର୍ବେଦ, ଯୋଗ ଓ ନେଚୁରୋପାଥୀ, ୟୁନାନି, ସିଦ୍ଧ ଓ ହୋମିଓପାଥୀକୁ ଗୁରୁତ୍ୱ ଦେଇ କେନ୍ଦ୍ରରେ ମୋଦୀ ସରକାର ୨୦୧୪ରୁ ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ କରିଛନ୍ତି । ଆୟୁର୍ବେଦ ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ପାଇଁ ପ୍ରତିବର୍ଷ ବଜେଟ୍ ପରିମାଣ ବଢାଇ ଚାଲିଛନ୍ତି । ହେଲେ ରାଜ୍ୟରେ ଏହି ବର୍ଗକୁ ଅଣଦେଖା ନେଇ ଅଭିଯୋଗ ଉଠିଛି । କରୋନା ସମୟରେ ଜରୁରିକାଳୀନ ପରିସ୍ଥିତିରେ ସେମାନଙ୍କୁ ବ୍ୟବହାର କରାଯାଇ ପରେ ଠକି ଦେଇଥିବା ଅଭିଯୋଗ ହୋଇଛି ।
ଏପଟେ ବିଧାନସଭାରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ରାଜ୍ୟରେ କେତେ ଡାକ୍ତର ପଦବୀ ଖାଲି ରହିଛି ତାର ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ତଥ୍ୟ ଦେଇଛନ୍ତି, ରାଜ୍ୟରେ ମୋଟ ମଞ୍ଜୁରିପ୍ରାପ୍ତ ଡାକ୍ତର ସଂଖ୍ୟା ୧୦ ହଜାର ୭୭୪ । ବିଭିନ୍ନ ବର୍ଗରେ ୯୩୨୦ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଆଉ ଖାଲି ରହିଛି ୧୪୫୪ ପଦବୀ ।
ତେବେ ପିଜି, ସିନିୟର ରେସିଡେଣ୍ଟ ଡାକ୍ତର, ମେଡିକାଲ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସିଷ୍ଟାଣ୍ଟ ସର୍ଜନ, ଲମ୍ବା ଛୁଟିରେ ଯାଇଥିବା ଡାକ୍ତର, କାର୍ଯ୍ୟରେ ଯୋଗ ଦେଉନଥିବା ଡାକ୍ତର ଆଦିକୁ ବାଦ ଦେଲେ ଖାଲି ପଦବୀ ସଂଖ୍ୟା ୫,୨୪୮ । ଯାହା ମୋଟ ମଞ୍ଜୁରି ପାଇଥିବା ପଦବୀର ୪୮.୭୧ ପ୍ରତିଶତ । ଏପଟେ ଆଉ ୫୦୦୦ ପଦବୀ ସୃଷ୍ଟି କରାଯାଇଛି । ଏସବୁକୁ ହିସାବକୁ ନେଲେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଜଳଜଳ ହୋଇ ଦିଶୁଛି ।