ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । ଆୟୁଷ ଡାକ୍ତର ଅନେକ କରୋନା ରୋଗୀଙ୍କୁ ଭଲ କରିଥିଲେ ଲିଙ୍ଗରାଜ, କିନ୍ତୁ ନିଜେ କରୋନାର କାଳ ଜାଲ ଭିତରୁ ପାରିଲେନି ମୁକୁଳି ।

526

କନକ ବ୍ୟୁରୋ : ଚିକିତ୍ସା କରି ଅନେକ ଲୋକଙ୍କୁ ଆରୋଗ୍ୟ କରୁଥିଲେ । ହେଲେ କରୋନାରେ ଆକ୍ରାନ୍ତ ହୋଇ ନିଜେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି ଦେଇଛନ୍ତି ଡାକ୍ତର ଲିଙ୍ଗରାଜ ସାମନ୍ତରାୟ । ପରିବାର ଲୋକଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଳା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୋଭିଡ୍ ହସ୍ପିଟାଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତାପରେ କୋଭିଡ୍ ଗାଇଡଲାଇନ ଅନୁସାରେ ସ୍ଥାନୀୟ ଢ଼େପଗୁଡାସ୍ଥିତ ଚମ୍ପାକୁପୁଲି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ଅନୁଯାୟୀ ସ୍ୱର୍ଗତ ସାମନ୍ତରାୟଙ୍କର ଗତ ମାସରେ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଏହାପରେ ଗତ ୧ତାରିଖରେ ପଜିଟିଭ ଚିହ୍ନଟ ପରେ ତାଙ୍କୁ ଜୟପୁର କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସ୍ୱତନ୍ତ୍ର କ୍ୟାବିନରେ ରହି ଚିକିତ୍ସିତ ହେଉଥିଲେ ଲିଙ୍ଗରାଜ ।

ସେ ଜୟପୁର ବ୍ଲକ ଅନ୍ତର୍ଗତ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । କରୋନା ଦ୍ୱିତୀୟ ଲହର ଆସିବା ପରେ ସେ ର୍ୟାପିଡ୍ ରେସପନ୍ସ ଟିମରେ ରହି କାର୍ଯ୍ୟ କରୁଥିଲେ । ଜୟପୁର ପୌରପାଳିକା ଅନ୍ତର୍ଗତ ଯେଉଁଠି କୋଭିଡ୍ ପଜିଟିଭ୍ ରୋଗୀ ଚିହ୍ନଟ ହୁଅନ୍ତି, ସେଠାରେ ତାଙ୍କ ଟିମ୍ ଓ ସେ ପହଁଚି ରୋଗୀଙ୍କ ସହ ଆଲୋଚନା କରି ଔଷଧ ପ୍ରଦାନ କରୁଥିଲେ । ନିଜର ଦାୟିତ୍ୱ ନିର୍ବାହ କରୁକରୁ ସେ କରୋନା ସଂକ୍ରମିତ ହୋଇଥିଲେ । ଆଉ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏହି ସମ୍ମୁଖ ଯୋଦ୍ଧା ।