କନକ ବ୍ୟୁରୋ: ଜରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂରତି । ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ନୀତି । ବୈଦ୍ୟଙ୍କ ପରାମର୍ଶ କ୍ରମେ ଅସୁସ୍ଥ ଶ୍ରୀଜିଉଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଏକା ସଙ୍ଗେ ତିନି ଠାକୁର ଓ ପଟିଦିଅଁଙ୍କ ସେବା କାର୍ଯ୍ୟ ସଂପାଦନ କରିଛନ୍ତି। ଗତକାଲି ସକାଳେ ଶ୍ରୀମନ୍ଦିରରେ ପଟିଦିଅଁଙ୍କଠାରେ ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ସରିଲା ପରେ ବେହରଣ ମଣ୍ଡପ ପାଖ ଅଣସର ଦ୍ୱାର ଖୋଲା ଯାଇଥିଲା।

Advertisment

publive-image

ମଧ୍ୟାହ୍ନ ଧୂପ ସରିବା ପରେ ମୁକ୍ତିମଣ୍ଡପ ସମ୍ମୁଖ ବେହରଣ ମଣ୍ଡପ ଦେଇ ଦଇତାପତି ସେବକମାନେ ଏକମାତ୍ର ଶୁକ୍ଲ (ଧଳା) ବସ୍ତ୍ର ପରିଧାନ କରି ଅଣସର ଘରେ ପ୍ରବେଶ କରିଥିଲେ। ସେଠାରେ ଦଇତାପତି ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କ ଗୁପ୍ତ ସେବା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ନିକଟରେ କୋଠ ଭୋଗ ଲାଗି ବାରଣ କରାଯାଇଥିବାରୁ ଅସୁସ୍ଥ ଶ୍ରୀଜିଉଙ୍କୁ ଆଜିଠାରୁ ପଥି ଆକାରରେ କ୍ଷୀର, ସର, ଛେନା, ରାବିଡ଼ି ସହ ଆମ୍ୱ, କଦଳୀ, ପଣସ ଆଦି ଫଳ ଭୋଗ ଲାଗି ହୋଇଥିଲା। ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଏହି ଭୋଗ ଅଣସର ଘରୁ ବାହାରକୁ ନ ଆସିବାର ବିଧି ରହିଛି। ଏଣୁ ଶ୍ରୀଜିଉଙ୍କୁ ଭୋଗ ପରେ ଦଇତାପତି ସେବକମାନେ ଏହାକୁ ପ୍ରସାଦ ଆକାରରେ ସେବନ କରିବା ସହ ବାକି ଭୋଗ ସେହି ଅଣସର ଘରେ ଛାଡ଼ି ଆସିଥିଲେ।

publive-image

ଶ୍ରୀଜିଉ ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଇଛି। ଜଗନମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏଠାକୁ ଭକ୍ତଙ୍କ ପ୍ରବେଶ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ସେପଟେ ଦୈନନ୍ଦିନ ଭଜନ, କୀର୍ତନ, ଗୀତ, ଘଣ୍ଟଘଣ୍ଟା, ବାଜା ସବୁ ଶ୍ରୀମନ୍ଦିରରେ ନିଷେଧ କରାଯାଇଛି। ପଟିଦିଅଁ ରୂପେ ଶ୍ରୀମନ୍ଦିରରେ ଗତକାଲିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ର ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରା ଭୁବନେଶ୍ୱରୀ ରୂପରେ ପୂଜା ପାଉଥିବା ବେଳେ ଏଠାରେ ଛପନ ପଉଟି ଭୋଗ ଅନ୍ନ, ପିଠାପଣା ଆଦି ଲାଗି କରାଯାଇଛି। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମକୃଷ୍ଣ ଓ ନୃସିଂହ ଭଗବାନ ବି ଏଠାରେ ପୂଜା ପାଉଛନ୍ତି। ମହାପ୍ରଭୁ ସୁସ୍ଥ ହେବା ଲାଗି ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆ, ସର ପ୍ରଭୃତି ମିଶାଇ ମହୌଷଧି ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ଜୁଲାଇ ୨ରେ ନବଯୌବନପ୍ରାପ୍ତି ହେବେ। ଏହି ସମୟରେ ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ଶ୍ରୀବିଗ୍ରହମାନଙ୍କର ଗୁପ୍ତ ସେବା କରିବେ। ପ୍ରଭୁଙ୍କ ଅଣସର ବିଜେ ବେଳେ ଶରୀରଚର‌୍ୟ୍ୟା ବ୍ୟତୀତ ଅଣସର ପଣା, ଘଣାଲାଗି, ଖଳିଲାଗି, ଚକା ଅପସର ଆଦି ନୀତି ସଂପନ୍ନ ହେବ।