ଆୟୁର୍ବେଦିକ ଦିବସରେ ଆଶ୍ଚର୍ଯ୍ୟ । ୭୦ ପ୍ରଜାତିର ଏକ ହଜାରରୁ ଅଧିକ ଔଷଧୀୟ ଗଛ ଲଗାଇ ଆୟୁର୍ବେଦ ଔଷଧୀୟ ପାର୍କ କରିଛନ୍ତି ଛାତ୍ର ।

308
କନକ ବ୍ୟୁରୋ: ଆଜି ହେଉଛି ଆୟୁର୍ବେଦିକ୍ ଦିବସ । ହଜାର ହଜାର ବର୍ଷ ପୂର୍ବରୁ ଆୟୁର୍ବେଦିକ୍ ଚିକିତ୍ସା ପଦ୍ଧତି ଲୋକଙ୍କୁ ବହୁ ଦୂରାରୋଗ୍ୟରୁ ଆରୋଗ୍ୟ କରିଆସୁଛି । ଯଦିଓ ଆଜିର ଦିନରେ ଏଲୋପାଥି ଔଷଧର ବହୁଳ ବ୍ୟବହାର ହେଉଛି, ତଥାପି ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଲୋକଙ୍କ ବିଶ୍ୱାସ ବଜାୟ ରଖିଛି  । ଆଉ ଏହି ବିଶ୍ୱାସକୁ ବଳବତର ରଖିବା ପାଇଁ ଅଂଟା ଭିଡିଛନ୍ତି ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜର ଦ୍ୱି୍ତୀୟ ବର୍ଷର ଛାତ୍ର ଅକ୍ଷୟ କୁମାର ନାୟକ । ଯାଜପୁର ଅରେଇ ଠାରେ ନିଜ ଗାଁରେ ପ୍ରାୟ ୭୦ ପ୍ରଜାତିର ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଗଛ ଲଗାଇ ଏକ ଆୟୁର୍ବେଦ ଔଷଧୀୟ ପାର୍କ  କରିଛନ୍ତି ଅକ୍ଷୟ । ଆୟୁର୍ବେଦିକର ପ୍ରଚାର ପ୍ରସାର ସହ ଲୋକଙ୍କୁ ସୁସ୍ଥ ଜୀବନ ଧାରଣରେ ସହଯୋଗ କରିବା ପାଇଁ ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ହର୍ବାଲ ଗାର୍ଡେନ । ଆୟୁର୍ବେଦ ବଗିଚାରେ ଶୋଭା ପାଉଛି ୭୦ ପ୍ରଜାତିର ଔଷଧୀୟ ବୃକ୍ଷ । ଘର ଛାତ ଉପରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷକୁ ନେଇ ହରବାଲ୍ ଗାର୍ଡେନ ପ୍ରସ୍ତୁତ କରିଛନ୍ତି ଆୟୁର୍ବେଦ ଡାକ୍ତରୀ ପାଠ ପଢୁଥିବା ଛାତ୍ର । ଯାଜପୁର ବିଂଝାରପୁର ବ୍ଲକ ଅରେଇ ଗ୍ରାମର ଅକ୍ଷୟ ନାୟକ, ପୁରୀ ଗୋପବନ୍ଧୁ ଆୟୁର୍ବେଦିକ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ର । ସେ ଡାକ୍ତରୀ ପାଠ ପଢ଼ିବା ଦିନ ଠାରୁ ନିଜ ବାଡି ବଗିଚାରେ ଔଷଧୀୟ ଗଛ ଲଗାଇ ତାହାର ବହୁଳ ବ୍ୟବହାର ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ।
ପିପଳି, ଅଶ୍ୱଗନ୍ଧା, ଘୃତ କୁଆଁରୀ, ପାରିଜାତ, ନିର୍ଗୁଣ୍ଡି ଭଳି ଅନେକ ବହୁ ଦୁର୍ଲଭ ଔଷଧୀୟ ବୃକ୍ଷଗୁଡିକ ଅଛି ଅକ୍ଷୟଙ୍କ ହରର୍ବାଲ ଗାର୍ଡେନରେ । ପ୍ରାୟ ୭୦ ପ୍ରକାରର ଔଷଧୀୟ ବୃକ୍ଷ ସଂଗ୍ରହ କରିବା ସହ କେଉଁ ରୋଗ ପାଇଁ କେଉଁ ଔଷଧୀୟ ବୃକ୍ଷ ଆବଶ୍ୟକ ତାହା ଲୋକଙ୍କୁ ବୁଝାଉଛନ୍ତି । ଏହାସହ ନିଜ ଅଂଚଳର ଅନେକ ରୋଗୀଙ୍କୁ ବିନା ମୂଲ୍ୟରେ ଆୟୁର୍ବେଦ ଚିକିତ୍ସା ଯୋଗାଇ ଆସୁଛନ୍ତି ଅକ୍ଷୟ କୁମାର ନାୟକ । ଭବିଷ୍ୟତରେ ଆୟୁର୍ବେଦିକ ଚିକିତ୍ସାର ପ୍ରଚାର ପ୍ରସାର ପାଇଁ ଅନେକ ଲକ୍ଷ୍ୟ ରଖିଥିବା ଅକ୍ଷୟ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି ।