ସାମ୍ନାକୁ ଆସିଲା ରାମଲାଲଙ୍କ ପ୍ରତିମୂର୍ତ୍ତିର ନୂଆ ଫଟୋ । ୫ବର୍ଷର ବାଳକ ଦିବ୍ୟ ରୂପରେ ଦେଲେ ଦର୍ଶନ, ସୌମ୍ୟ, ଶାନ୍ତ ଓ କୋମଳ ପ୍ରତିମାକୁ ଦେଖିଲେ ବିଶ୍ୱବାସୀ

301

କନକ ବ୍ୟୁରୋ : ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସାମ୍ନାକୁ ଆସିଛି ରାମଲଲାଙ୍କ ପ୍ରଥମ ଝଲକ । ଶୁକ୍ରବାର ରାମଲଲାଙ୍କ ପ୍ରଥମ ଫଟୋ ଜାରି ହୋଇଛି । ନୀଳ ଓ କଳା ମିଶ୍ରିତ ପଥରରେ ଅତି ନିଖୁଣ ଭାବେ ରାମଲଲାଙ୍କ ଏହି ବାଳ ସ୍ୱରୂପକୁ ରୂପ ଦିଆଯାଇଛି । ତେବେ ତାଙ୍କ ଆଖିରୁ କପଡାର ପଟ୍ଟି ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ । ୫ ବର୍ଷର ବାଳକ ସ୍ୱରୂପ ପରି ରହିଛି ଶ୍ରୀରାମଙ୍କ ଏହି ପ୍ରତିମା । ପ୍ରତିମାନେ ସନାତନ ଧର୍ମର ଚିହ୍ନ ରହିଛି । ରାମଲଲାଙ୍କ ମଥାରେ ସୂର୍ଯ୍ୟଙ୍କ ଛବି ଖୋଦିତ ହୋଇଛି । ଡାହାଣ ହାତରୁ ରାମଲଲା ଆଶୀର୍ବାଦ ଦେଉଛନ୍ତି । ବାମ ହାତରେ ଭଗବାନ ଧନୂ-ତୀର ଧରିଛନ୍ତି ।
ଦୀର୍ଘ ୪ ଘଂଟାର ପୂଜାର୍ଚ୍ଚନା ପରେ ରାମଲଲାଙ୍କ ମୂର୍ତି ଗର୍ଭଗୃହରେ ସ୍ଥାପିତ ହୋଇଛି । ଶୁକ୍ରବାର ଅଗ୍ନିକୁଣ୍ଡ ସ୍ଥାପନ ହେବା ସହ ନବଗ୍ରହ ପୂଜା ହେବ । ଶନିବାର ୮୧ କଳସ ଜଳଦ୍ୱାରା ଗର୍ଭଗୃହକୁ ଶୁଦ୍ଧିକରଣ କରାଯିବ । ୨୧ ତାରିଖରେ ୧୨୫ କଳସ ଜଳରେ ରାମଲଲାଙ୍କୁ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ । ୨୨ ତାରିଖରେ ରାମଲଲାଙ୍କ ଅଚଳମୂର୍ତିର ପ୍ରାଣପ୍ରତିଷ୍ଠା ହେବ । କିନ୍ତୁ ରାମଲଲାଙ୍କ ମୂର୍ତି ପ୍ରାଣପ୍ରତିଷ୍ଠାର ବିଧିବଦ୍ଧ କର୍ମକାଣ୍ଡ ଗୁରୁବାର ଗଣେଶ ପୂଜନରୁ ଆରମ୍ଭ ହୋଇ ସାରିଛି । ମଣ୍ଡପ ପୂଜା କ୍ରମରେ ମନ୍ଦିର ତୋରଣ, ଦ୍ୱାର, ଧ୍ୱଜା, ଆୟୁଧ, ପତାକା, ଦିଗପାଳ, ଦ୍ୱାରପାଳଙ୍କ ପୂଜା କରାଯାଇଥିଲା । ସେହିପରି ୫ଜଣ ବୈଦିକ ଆଚାର୍ଯ୍ୟ ଚାରି ବେଦର ପାରାୟଣ ଆରମ୍ଭ କରିଦେଇଛନ୍ତି ।

ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଗଲାଣି । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଁଚି ରାମଲଲାଙ୍କ ଦର୍ଶନ କରିଛନ୍ତି । ପ୍ରତିଷ୍ଠା ଉତ୍ସବ ପାଇଁ ହୋଇଥିବା ଟେଂଟସିଟି ପରିଦର୍ଶନ କରିଛନ୍ତି । ଏହାସହ ୨୨ ଜାନୁଆରିରେ ହେବାକୁ ଥିବା ପ୍ରତିଷ୍ଠା ସମାରୋହର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ବିରାଜମାନ ହେଲେ ରାମଲଲା । ୨୨ ଜାନୁଆରୀରେ ହେବ ପ୍ରାଣପ୍ରତିଷ୍ଠା । ତେବେ ଶ୍ରୀରାମଲଲାଙ୍କ ଏହି ପ୍ରତିମାଙ୍କୁ ନିଜ ହାତରେ ପ୍ରସ୍ତୁତ କରିଛନ୍ତି ସ୍ଥପତି ଯୋଗୀରାଜ ଅରୁଣ । ତିନି ଜଣ ଭାସ୍କର୍ଯ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ତିନୋଟି ପ୍ରତିମା ମଧ୍ୟରୁ ଯୋଗୀରାଜ ଅରୁଣଙ୍କ ଦ୍ୱାରା ପ୍ରସ୍ତୁତ ମୂର୍ତିକୁ ଚୟନ କରାଯାଇଥିଲା । ଏବେ ସେହି ମୂର୍ତି ରାମଲଲା ଭାବେ ଭବ୍ୟ ପୂଜା ପାଇବେ ।