କନକ ବ୍ୟୁରୋ: ସାରା ଦେଶ ଯେତେବେଳେ ରାମ ହୋଇଯାଇଛି, ଏଥିରୁ ଓଡିଶା ବାଦବା କେମିତି ପଡିଥାନ୍ତା । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଭକ୍ତିର ମାର୍ଗ ବାଛିଛନ୍ତି ଭକ୍ତ । ନୟାଗଡ ଓ ପାରାଦୀପରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ କଳସ ଯାତ୍ରା ଓ ଶୋଭାଯାତ୍ରା କରାଯାଇଛି ।

Advertisment

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଦେଶବ୍ୟାପି ଏହାର ଦିବ୍ୟ ମାହୋଲ ଦେଖିବାକୁ ମିଳିଛି । ସବୁଠି ଉତ୍ସାହ ଓ ଉଦ୍ଦୀପନା । ଓଡିଶାରେ ମଧ୍ୟ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଗାଁଠୁ ସହର ସବୁଠି ଶୁଭୁଛି ଜୟ ଶ୍ରୀରାମ ଧ୍ୱନି । ସେହି ଭବ୍ୟ ମୁହୁର୍ତକୁ ଆହୁରି ସ୍ମରଣୀୟ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ବହୁ ସଂଖ୍ୟାରେ ରାମ ଭକ୍ତ ଶୋଭାଯାତ୍ରା କରିଛନ୍ତି । ଶହ ଶହ ମହିଳା ବିଭିନ୍ନ ସ୍ଥାନରେ କଳସ ଯାତ୍ରା କରିଛନ୍ତି । ଏହି ଶୋଭାଯାତ୍ରା ଓ କଳସ ଯାତ୍ରା ଚାରିଆଡେ ଭବ୍ୟ ଓ ଦିବ୍ୟ ପରିବେଶ ସୃଷ୍ଟି କରିଛି ।

ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବକୁ ବେଶ ଧୂମଧାମରେ ପାଳନ କରିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ । ଯାହାର ପ୍ରଭାବ ପୂଜା ସାମଗ୍ରୀ ଦୋକାନରେ ଦେଖିବାକୁ ମିଳିଛି । ବିଶେଷକରି ଜୟଶ୍ରୀରାମ ଲେଖା ଓ ହନୁମାନଙ୍କ ଚିତ୍ର ଥିବା ପତାକା ବିକ୍ରି କରୁଥିବା ଦୋକାନରେ ଭିଡ ଦେଖିବାକୁ ମିଳିଛି । କିଏ ଗାଡିରେ ଲଗାଇବା ପାଇଁ ପତାକା କିଣୁଛନ୍ତି ତ ଆଉ କି ଘର ଉପରେ ଲଗାଇବା ପାଇଁ କିଣୁଛନ୍ତି । ସେହିପରି ଜୟଶ୍ରୀରାମ ଲେଖାଥିବା ଷ୍ଟିକରର ଚାହିଦା ମଧ୍ୟ ବଢ଼ି ଯାଇଛି । ଫଳରେ ପତାକାର ଦର ମଧ୍ୟ ବୃଦ୍ଧି ପାଇଥିବା କୁହାଯାଉଛି । ତଥାପି ରାମପ୍ରେମୀ ଖୁସି ମନରେ କିଣି ନେଉଥିବା ଦେଖିବାକୁ ମିଳିଛି ।

ପ୍ରାୟ ୫ଶହ ବର୍ଷର ଆଶା ପୁରଣ ହେବାକୁ ଯାଉଥିବାରୁ ଆଉ ଏକ ଦୀପାବଳୀ ପାଳିବାକୁ ପ୍ରସ୍ତୁତ କୋଟି କୋଟି ରାମ ଭକ୍ତ । ଜାନୁଆରୀ ୨୨କୁ ଆଉ ଏକ ଦିପାବଳି ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କ୍ରମେ ଘରେ ଘରେ ଦୀପ ଜାଳିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଦୋକାନରୁ କିଣି ନେଉଛନ୍ତି ଭଳିକି ଭଳି ଦୀପ ।

ସଜେଇ ହୋଇଛି ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର । ରଂଗବେରଂଗର ଆଲୋକ ସାଂଗକୁ ଭଳିକି ଭଳି ଫୁଲରେ ଝଲସୁଛି ଶ୍ରୀରାମ ମନ୍ଦିର । ଏହି ଅବସରରେ କିଛି ଯୁବକ ହନୁମାନ ଚାଳିଶା ବାଂଟିଛନ୍ତି ।