କନକ ବ୍ୟୁରୋ: ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଫିଲ୍ମ ‘ ଦ କଶ୍ମୀର ଫାଇଲ୍ସ’ । ତେବେ ଅଯୋଧ୍ୟାର ସିନେମା ହଲରେ ଦେଖିବାକୁ ମିଳିଛି ଏକ ନୂଆ ଦୃଶ୍ୟ । ପାରାଡାଇଜ୍ ସିନେମା ହଲରେ ଏହି ଫିଲ୍ମ ଦେଖିବାକୁ ଅସିଥିଲେ ଅଯୋଧ୍ୟାର ଏକାଧିକ ସନ୍ଥ । ଏହି ଫିଲ୍ମ ଦେଖିବା ପରେ ଭାବ ବିହ୍ୱଳ ହୋଇଯାଇଥିଲେ ସନ୍ଥ ବୃନ୍ଦ ।
କାଶ୍ମୀରରେ ଆତଙ୍କୀମାନେ ହିନ୍ଦୁ ପଣ୍ଡିତଙ୍କ ଉପରେ ଯେଉଁ ଅକଥନୀୟ ଅତ୍ୟାଚାର ଦେଇଥିଲେ ତାକୁ ଏହି ଫିଲ୍ମରେ ଅବିକଳ ଉତାରିବାକୁ ଚେଷ୍ଟା କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ । ଏହା ବାସ୍ତବିକ ଏକ ସାହସିକ ଉଦ୍ୟମ ବୋଲି ଫିଲ୍ମ ଦେଖିବା ପରେ ସନ୍ଥ କହିଥିଲେ । ଏନେଇ ଅଯୋଧ୍ୟାର ଜଣାଶୁଣା ସନ୍ଥ ଡ. ରାମ ବିଳାଶ ବେଦାନ୍ତି ମଧ୍ୟ ଏହା ଉପରେ ନିଜ ଅନୁଭବ ଜଡିତ ମନ୍ତବ୍ୟ ଦେଇଛନ୍ତି ।
ଏହି ଫିଲ୍ମରେ ବାସ୍ତବତାକୁ ଦେଖାଯାଇଛି । ୧୯୮୫-୮୬ରେ ସେ ବିଏଚପି ନେତା ଅଶୋକ ସିଙ୍ଘଲଙ୍କ ସହ କାଶ୍ମୀର ଭ୍ରମଣରେ ଯାଇଥିଲେ । ସେତେବେଳେ କାଶ୍ମୀର ପଣ୍ଡିତଙ୍କ ଝିଅ ବୋହୂମାନେ ଅସ୍ଥାୟୀ ଶିବିରରେ ରହୁଥିଲେ । ସେମାନଙ୍କୁ ଆତଙ୍କବାଦୀମାନେ ଗୁଳିରେ ଖିନବିନ୍ କରିଦେଉଥିଲେ । କେନ୍ଦ୍ରରେ ସେତେବେଳେ ସତ୍ତାରେ ଥିବା କଂଗ୍ରେସ ସରକାର ନୀରବ ରହିଲେ । ଏଭଳି ପରିସ୍ଥିତିକୁ ଗୁରୁତ୍ୱ ଦେଇ କାଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି େଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୯ ଅଗଷ୍ଟ ୫ ତାରିଖରେ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିନିଆଯାଇ ଏକ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପରେ ଆତଙ୍କବାଦୀଙ୍କୁ ମଧ୍ୟ ଉଚିତ ଜବାବ ଦିଆଯାଇଛି ବୋଲି ସନ୍ଥ ରାମବିଳାଶ ବେଦାନ୍ତି କହିଛନ୍ତି ।
ଏହି ଫିଲ୍ମକୁ ସାରା ଦେଶବାସୀ ଦେଖିବା ଉଚିତ । ଏହି ଫିଲ୍ମ ଦେଖିବା ପରେ ହୃଦୟ ତରଳିଯାଉଛି ବୋଲି ଏକାଧିକ ସନ୍ଥ ମନ୍ତବ୍ୟ ଦେଇଛନ୍ତି ।