ନିର୍ବାଚନ ପୂର୍ବରୁ ଜୋର ଧରିଲା ରାମମନ୍ଦିର ନିର୍ମାଣ ପାଇଁ ଦାବି । ଆଜି ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମସଭା,୨ଲକ୍ଷରୁ ଅଧିକ କର୍ମୀ ସାମିଲ ହେବା ଦାବି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ପୁଣି ଥରେ ଜୋର ଧରିଛି

72

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ପୁଣି ଥରେ ଜୋର ଧରିଛି । ତୁରନ୍ତ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ ବାଟ ସଫା କରିବା ଲାଗି ବିଶ୍ୱ ହିନ୍ଦୁ ପରିଷଦ,ଆରଏସଏସ୍, ଶିବସେନା ସମେତ ବିଭିନ୍ନ ହିନ୍ଦୁ ଧର୍ମ ସଂଗଠନ ଜୋରଦାର ଦାବି କରିଛନ୍ତି । ସୁପ୍ରିମକୋର୍ଟ ରାୟ ଦେବାରେ ବିଳମ୍ବ କରୁଥିବାରୁ କେନ୍ଦ୍ର ସରକାର ସଂସଦର ଶୀତଅଧିବେଶନରେ ଅଧ୍ୟାଦେଶ ଆଣିବା ଲାଗି ସେମାନେ ସ୍ୱର ଉଠାଇଛନ୍ତି । ଏହାକୁ ନେଇ ଆଜି ଅଯୋଧ୍ୟାରେ ଭିଏଚପି ପକ୍ଷରୁ ବିଶାଳ ଧର୍ମ ମହାସଭା ଆୟୋଜନ କରାଯାଇଛି । ଏହି ସବୁ ସଂଗଠନର ୨ଲକ୍ଷରୁ ଉର୍ଦ୍ଧ କାର୍ଯ୍ୟକର୍ତା ଅଯୋଧ୍ୟାରେ ଏକତ୍ରିତ ହୋଇଛନ୍ତି । ଏହି ସଭାରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କୁ ମଧ୍ୟ ଏକାଠି କରାଯାଇଛି ।

ଗତକାଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ହଜାର ହଜାର ଶିବ ସୈନିକ ଅଯୋଧ୍ୟାରେ ପହଁଚି ମେଗା ରାଲି କରିବା ସହ ରାମମନ୍ଦିର ନିର୍ମାଣ କାମନା କରି ସରଜୁ ନଦୀ ତଟରେ ସନ୍ଧ୍ୟା ଆଳତି କରିଥିଲେ । ଆଜି ମଧ୍ୟ ଶିବସେନାର କର୍ମଶାଳା ରହିଛି । ଆଇନଶୃଙ୍ଖଳାକୁ ନଜରରେ ରଖି ଅଯୋଧ୍ୟାରେ ୧୪୪ ଧାରା ଲାଗୁ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଯୋଧ୍ୟା ଏକ ପ୍ରକାର ପୁଲିସ ଛାଉଣିରେ ପରିଣତ ହୋଇଛି । ଏହାକୁ ନେଇ ଲୋକମାନେ ଭୟ ଓ ଆଶଙ୍କାରେ ଥିବା ଦେଖିବାକୁ ମିଳିଛି । ତେବେ ବିରୋଧୀ ଏହାକୁ ବିଜେପି ଓ ଶିବସେନାର ନିର୍ବାଚନୀ ଚାଲ୍ ବୋଲି କହି ସମାଲୋଚନା କରିଛନ୍ତି ।