କନକ ବ୍ୟୁରୋ: ଅଯୋଧ୍ୟାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ତଥା ପ୍ରାଣ ପ୍ରତିଷ୍ଠାର ଦିନ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମନରେ ଉକ୍ରଣ୍ଠା ସେତିକି ବଢି ବଢି ଚାଲିଛି । ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଚାଲିଛି । ଏହି ଦିନ ପାଇଁ ଅଯୋଧ୍ୟାକୁ ଦେଶ ବିଦେଶରୁ ଉପହାର ପହଞ୍ଚିବା ଉପରେ । ଯେପରିକି ଶ୍ରୀରାମଙ୍କ ମାମୁଁଘର ଛତିଶଗଡରୁ ୩ ହଜାର କ୍ୱିଣ୍ଟାଲ ଚାଉଳ ଆସିବ । ସେହିପରି ଶ୍ରୀରାମଙ୍କ ଶ୍ୱଶୁର ଘର ନେପାଳର ଜନକପୁରୀରୁ ନୂତନ ବସ୍ତ୍ର ସହ ଫଳ . ମିଠା, ଏବଂ ବିଭିନ୍ନ ଉପହାରରେ ସଜ୍ଜିତ ପାଖାପାଖି ୧୧୦୦ ଥାଳି ଆସି ପହଞ୍ଚିବ । ଏହା ବ୍ୟତୀତ ଭାରତର ବିଭିନ୍ନ ରାଜ୍ୟରୁ ମଧ୍ୟ ଅନେକ ପ୍ରକାରର ଉପହାର ଅଯୋଧ୍ୟା ଆସି ପହଞ୍ଚିବାର ସୂଚନା ରହିଛି । ଆସନ୍ତୁ ଜାଣିବା କେଉଁଠୁ କ’ଣ ଆସିବ?
ଶ୍ରୀରାମଙ୍କ ମାମୁଁଘର ଓ ଶ୍ୱଶୁର ଘର ବ୍ୟତୀତ ଉତ୍ତରପ୍ରଦେଶ ଏଟା ଜିଲ୍ଲାରୁ ରାମଲାଲାଙ୍କ ଦରବାର ପାଇଁ ଅଷ୍ଟଧାତୁରେ ନିର୍ମିତ ୨୧ କେଜିର ଘଣ୍ଟି ଆସିବ । କୁହାଯାଉଛି ଏହା ହେବ ଦେଶର ସବୁଠୁ ବଡ ଘଣ୍ଟି, ଯାହାର ମୂଲ୍ୟ ୨୫ ଲକ୍ଷ ଟଙ୍କା । ଏହାକୁ ବନାଇବାରେ ୪୦୦ କାରିଗର ଲାଗିଛନ୍ତି ।ଏହାର ଓଜନ ୨୧୦୦ କେଜି ଥିବାବେଳେ ଏହାର ଚଉଡା ୧୫ ଫୁଟ ରହିଛଇ । ଏହାକୁ ବନାଇବାରେ ୧ ବର୍ଷ ସମୟ ଲାଗିଥିବା କୁହାଯାଇଛି ।
ଏହାସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ଗୁଜୁରାଟ ବଦୋଦରାରୁ ୧୦୮ ଫୁଟ ଲମ୍ବର ଧୂପକାଠି ଅଯୋଧ୍ୟା ଆସିବ । ଏହାକୁ ପଞ୍ଚଗବ୍ୟରେ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ୩୫୦୦ କେଜି । ଏହାକୁ ବନାଇବାରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏବଂ ୬ ମାସ ସମୟ ଲାଗିଛି ।
ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ସେଠାରେ ଭଗବାନଙ୍କ ଚରଣ ପାଦୁକା ରଖାଯିବ । ଏହାକୁ ଦେଶବ୍ୟାପୀ ପରିକ୍ରମା କରାଯାଉଛି । ଏହା ଜାନୁଆରୀ ୧୯ରେ ଅଯୋଧ୍ୟାରେ ପହଞ୍ଚିବ । ଏହାକୁ ହାଇଦ୍ରାବାଦର ଶ୍ରୀନିବାସ ଶାସ୍ତ୍ରୀ ନିର୍ମାଣ କରିଛନ୍ତି ।