କନକ ବ୍ୟୁରୋ: ଶ୍ରୀରାମ ଭକ୍ତଙ୍କ ଅନେକ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଆଉ ମାତ୍ର କିଛି ଦିନ ପରେ ପ୍ରତିଷ୍ଠା ହେବ ପୁରୁଷୋତ୍ତମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଜାନୁଆରୀ ୨୨ରେ ଏହାର ପ୍ରାଣ ପ୍ରତିଷ୍ଠା ହେବ । ଏହା ପରେ ବି ମନ୍ଦିର କାର୍ଯ୍ୟ ଜାରି ରହିବ । କାରଣ, ଏହି ମନ୍ଦିର ୩ ମହଲା ବିଶିଷ୍ଟ ହେବ ଏବଂ ଏହାର ପ୍ରଥମ ମହଲା ନିର୍ମାଣ ଶେଷ ହୋଇଛି । ଏବେ ଏହାକୁ ସଜ୍ଜିତ କରାଯାଉଛି । ଏହି ଭବ୍ୟ ମନ୍ଦିରର ତ ଅନେକ ବୈଶିଷ୍ଟ୍ୟ ରହିଛି । କିନ୍ତୁ ଏଭଳି ଏକ ବୈଶିଷ୍ଟ୍ୟ ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ବିଶାଳ ମନ୍ଦିର ନିର୍ମାଣରେ ୧ ଗ୍ରାମର ଲୁହା ମଧ୍ୟ ବ୍ୟବହାର କରାଯାଇ ନାହିଁ । ସିମେଣ୍ଟର ମଧ୍ୟ ବ୍ୟବହାର ହୋଇନାହିଁ ।
ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା ୩୮୦ ଫୁଟ , ପ୍ରସ୍ଥ ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ରହିଛି । ଏତେ ବଡ ମନ୍ଦିରରେ କିନ୍ତୁ ୧ ଗ୍ରାମର ବି ଲୁହା ବ୍ୟବହାର ହୋଇନାହିଁ । ଏହାକୁ ପାରମ୍ପରିକ ନାଗରଶୈଳୀରେ ନିର୍ମାଣ କରାଯାଇଛି । ନିଜେ ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହା ସ୍ପଷ୍ଟ କରିଛନ୍ତି । ଏଥିରେ ଲୁହା ବ୍ୟବହାର ନକରିବାର କାରଣ ହେଉଛି ମନ୍ଦିରର ଦୀର୍ଘ ଅସ୍ତିତ୍ୱ । ଏହି ମନ୍ଦିର ହଜାରେ ବର୍ଷରୁ ଅଧିକ ସମୟ ଅକ୍ଷୁର୍ଣ୍ଣ ରହିବ । ଏହାକୁ ରିପେୟାରିଙ୍ଗର ମଧ୍ୟ କୌଣସି ଆବଶ୍ୟକ ପଡିବ ନାହିଁ ବୋଲି ଚମ୍ପତ ରାୟ କହିଛନ୍ତି ।
କ’ଣ ଏହି ନାଗର ଶୈଳୀ?
ନାଗର ଶୈଳୀ ହେଉଛି ଉତ୍ତର ଭାରତୀୟ ହିନ୍ଦୁ ସ୍ଥାପତ୍ୟର ୩ଟି କଳା ମଧ୍ୟରୁ ଅନ୍ୟତମ । ଏହି ଶବ୍ଦର ଅର୍ଥ ହେଉଛି ନଗର । ନାଗର ଶୈଳୀରେ ନିର୍ମିତ ମନ୍ଦିରରେ ସାଧାରଣତଃ ୪ଟି କକ୍ଷ ଥାଏ: ଗର୍ଭଗୃହ, ଜଗମୋହନ, ନାଟ୍ୟ ମନ୍ଦିର ଏବଂ ଭୋଗ ମନ୍ଦିର । ଏହି ନାଗର ଶୈଳୀର ସମ୍ପର୍କ ହିମାଳୟ ଓ ବିନ୍ଧ୍ୟ ଭୂମି ସହିତ ରହିଛି । ଭାରତର ଖଜୁରାହୋ ମନ୍ଦିର , ସୋମନାଥ ମନ୍ଦିର, ଏବଂ କୋଣାର୍କ ମନ୍ଦିର ସବୁ ଏହି ଶୈଳୀରେ ନିର୍ମାଣ କରାଯାଇଛି । ଏହା ଉତ୍ତର ଭାରତର ସ୍ୱତନ୍ତ୍ର ଶୈଳୀ ।
ଆଉ ଏକ ରୋଚକ କଥା ହେଉଛି ମନ୍ଦିରର ନିର୍ମାଣରେ ସିମେଣ୍ଟ କି କଂକ୍ରିଟର ମଧ୍ୟ ବ୍ୟବହାର ହୋଇନାହିଁ । ଏଥିରେ ପାଇଲ ଫାଉଣ୍ଡେସନ୍ ମଧ୍ୟ ପଡିନାହିଁ । ବରଂ ଏହାର ଫାଉଣ୍ଡେସନରେ ଏଭଳି ଆର୍ଟିଫିସିଆଲ ପାର୍ବତୀୟ ପଥରର ବ୍ୟବହାର କରାଯାଇଛି ଯାହା ସମୟ କ୍ରମେ ଶକ୍ତ ଚଟ୍ଟାଣରେ ପରିବର୍ତ୍ତିତ ହୋଇଯିବ ।