ଅଯୋଧ୍ୟାକୁ ମିଳିବ ଭବ୍ୟ ରାମମନ୍ଦିର: ସଜେଇ ହେଉଛି ରାମ ଜନ୍ମଭୂମି; ପ୍ରସ୍ତୁତ ହୋଇଛି ୨୦୮ ଅତିଥିଙ୍କ ତାଲିକା

ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା କଡାକଡି

384

କନକ ବ୍ୟୁରୋ: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପାଇଁ ପ୍ରସ୍ତୁତି ଚାଲିଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟା ନଗରୀକୁ ସାଜସଜା କରାଯାଉଛି । ଅଯୋଧ୍ୟା ନଗରୀର ସୌନ୍ଦର୍ଯ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁୁତ୍ୱ ଦିଆଯାଉଛି । ଧାର୍ମିକ ନଗରୀକୁ ନୂଆ ବୋହୁ ପରି ସଜା ଯାଉଛି । ଅଯୋଧ୍ୟା ରାସ୍ତାରେ ଥିବା କାନ୍ଥବାଡରେ ରଙ୍ଗ ବେରଙ୍ଗର କଳାକୃତି ଅଙ୍କନ କରାଯାଉଛି । କାନ୍ଥବାଡରେ ତ୍ରେତୟା ଯୁଗର ଝଲକ ଦେବା ପାଇଁ ରାମୟଣ କାଳୀନ ପ୍ରସଙ୍ଗର ଚିତ୍ର ଅଙ୍କନ କରୁଛନ୍ତି ସଂଖ୍ୟାଧିକ ଚିତ୍ରଶିଳ୍ପୀ ।  କେଉଁଠି ରାମ ଲକ୍ଷ୍ମଣ, ସୀତା ବନବାସ ଯିବାର ଦୃଶ୍ୟ ଅଙ୍କିତ ହୋଇଛି, କେଉଁଠି ହନୁମାନ ରାମଙ୍କ ଚିତ୍ରପଟ୍ଟ ରହିଛି । ଏଥିପାଇଁ ରଙ୍ଗ ଓ ତୁଳୀ ଧର କଳାକାରଙ୍କ ଏକ ଟିମ ଅଯୋଧ୍ୟା ନଗରୀରେ କାମରେ ଲାଗିଛନ୍ତି । ଏପରି ରାସ୍ତାର ଡିଭାଇଡର ଓ ଇଲେକ୍ଟ୍ରି ପୋଲକୁ ମଧ୍ୟ ରଙ୍ଗ ଦିଆଯାଇଛି ।

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୁଜନରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । କରୋନା କଟକଣାକୁ ଉପରେ ରଖି ଫୋକସ କରିଛି ଉତରପ୍ରଦେଶ ପ୍ରଶାସନ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଅଗଷ୍ଟ ୩ରୁ ଅଯୋଧ୍ୟାରେ କାହାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଅଗଷ୍ଟ ୪ରୁ ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ । ଏଥିସହ ୫ତାରିଖରେ ଅଯୋଧ୍ୟାର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବାକୁ ଦିଆଯିବ ନାହିଁ । ଅଯୋଧ୍ୟା ସମେତ ଫୈଜାବାଦର ପ୍ରବେଶ ପଥ ଉପରେ ତୀକ୍ଷଣ ନଜର ରଖିବେ ସୁରକ୍ଷା କର୍ମୀ । ଆଜିଠାରୁ ଅଯୋଧ୍ୟା ସିଟି ସର୍କିଲରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ କଡା ଯାଂଚ କରାଯାଉଛି, ଏଥିରୁ ଅନୁମାନ କରି ହେଉଛି କିପରି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଆଧାରକାର୍ଡ ଭଳି ସରକାରୀ ପରିଚୟ ପତ୍ର ଯାଂଚ କରାଯାଉଛି ।  ହୋଟେଲ, ଧର୍ମଶାଳା ଭଳି ସାର୍ବଜନୀନ ସ୍ଥାନରେ ଗୋପନୀୟ ଭାବେ ସନ୍ଦିଗ୍ଧଙ୍କୁ ଖୋଜୁଛି ପୁଲିସ । ୟୁପି ଡିଆଇଜି ଦୀପକ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସବୁ ଏଜେନ୍ସୀ ସହ ବୈଠକ କରାଯାଇଛି । ଭୂମି ପୂଜନରେ ସାମିଲ ହେବାକୁ ଥିବା ସମସ୍ତ ଭିଆଇପି, ନିମନ୍ତ୍ରିତ ଅତିଥୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଉଛି । ରାଜ୍ୟ ସରକାର କରୋନା ନିୟମ ପାଳନ କରି ଭୂମି ପୂଜନ ଭଳି ବଡ ଆୟୋଜନକୁ ସଂପନ୍ନ କରିବାକୁ ଯୋଜନା କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଭୂମି ପୂଜନରେ ଗହଳି ନକରିବାକୁ ଅଯୋଧ୍ୟାବାସୀଙ୍କୁ ନିବେଦନ କରିଛନ୍ତି ।